କନକ ବ୍ୟୁରୋ : ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କଟକ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନେତାଜୀଙ୍କୁ ମନେ ପକାଇଥିଲେ । ସେପଟେ ଆଜିଠାରୁ କଟକ ସତ୍ୟବ୍ରତ ଷ୍ଟାଡିୟମରେ ତିନି ଦିନିଆ ପରାକ୍ରମ ଦିବସ ପାଳନ କରାଯାଉଛି ।
ଆଜି ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ । ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି ସମଗ୍ର ଦେଶ । ଆଜି ଏହି ମହାନ୍ ସ୍ଵାଧୀନତା ସଂଗ୍ରାମୀଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ନେତାଜୀପ୍ରେମୀଙ୍କ ସମାଗମ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଜନ୍ମସ୍ଥାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବୁଲି ଦେଖିଥିଲେ। ଆଜିଠାରୁ କଟକ ସତ୍ୟବ୍ରତ ଷ୍ଟାଡିୟମରେ ଆରମ୍ଭ ହୋଇଛି ତିନିଦିନିଆ ପରାକ୍ରମ ଦିବସ । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ପକ୍ଷରୁ ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ପରାକ୍ରମ ଦିବସ ରୂପେ ପାଳନ କରାଯାଉଛି ।
ଏହି ତିନି ଦିନିରେ ନେତାଜୀଙ୍କ ଜୀବନରେ ଘଟିଥିବା ଘଟଣାବଳୀ ଗୁଡ଼ିକ ପ୍ରକାଶିତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନେତାଜୀ ତାଙ୍କ ପରାକ୍ରମୀ ସ୍ଵଭାବ ପାଇଁ କେବଳ କଟକ କିମ୍ବା ଓଡ଼ିଶା କାହିଁକି ସମଗ୍ର ବିଶ୍ୱରେ ପରିଚିତ । ତାଙ୍କ ଜୀବନକୁ ଦେଶର ଯୁବପୀଢି ଅଧ୍ୟୟନ କରି ଶିକ୍ଷା ଗ୍ରହଣ କରିବା ଉଚିତ୍ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, କଟକ ସଦର ବିଧାୟକ, ବାରବାଟୀ କଟକ ବିଧାୟିକା, ରାଜ୍ୟସଭା ସାଂସଦ ,କଟକ ମେୟରଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତି ନେତାଜୀଙ୍କ ଜନ୍ମସ୍ଥାନକୁ ଆସି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଆଜିର ଏହି ଦିନଟି ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର ଦିନ ।