କନକ ବ୍ୟୁରୋ : ମୋହନ ସରକାରରେ ଫୋକସ୍‌ରେ ଶିଳ୍ପ । ଆଜି ଯାଜପୁରରେ ମୁଖ୍ୟମନ୍ତ୍ରୀ ୪ଟି ବୃହତ ଶିଳ୍ପର ଉଦ୍‌ଘାଟନ କରିଛନ୍ତି । ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ବି ସ୍ଥାପନ ହୋଇଛି । ଆଉ ଏହାସହ ନୂଆ ସରକାରରେ ଶିଳ୍ପ କରିଡର ଲାଗି ପଡ଼ିଛି ମୂଳଦୁଆ ।

ଦିନେ ଶିଳ୍ପନଗରୀ କୁହାଯାଉଥିବା କଳିଙ୍ଗନଗରର ଶିରୀ ଉଜୁଡ଼ି ଯାଇଥିଲା । ମେକ୍‌ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ପୁଞ୍ଜି ନିବେଶ ପ୍ରସ୍ତାବ ତ ଆସୁଥିଲା, ହେଲେ ଅଧାରେ ଅଟକୁଥିଲା ନିବେଶ । କିନ୍ତୁ ନୂଆ ସରକାରରେ ପୁଣି କଳିଙ୍ଗନଗରକୁ ଶିଳ୍ପ ଫେରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଆଜି କଳିଙ୍ଗନଗରରେ ୪ଟି ବୃହତ ଶିଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଏମ୍‌ଟିପିଏକୁ ବଢ଼ିଛି ଟାଟା ଷ୍ଟିଲ୍‌ ଲିମିଟେଡ୍‌ର କଳେବର । ୪୭,୫୯୯ କୋଟିର ଏ ପ୍ରକଳ୍ପରେ ୪୬୨୫ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି ।

ସେହିପରି ଜେଏସ୍‌ଏଲ୍‌ ଗ୍ରୁପ୍‌ରେ ୪୭୦ କୋଟି ନିବେଶ ହୋଇ ୫୫୦ ନିଯୁକ୍ତି ମିଳିବ । ଜଟିଆ ଷ୍ଟିଲ୍‌ ଲିମିଟେଡ୍‌ରେ ୨୨୦ କୋଟି ନିବେଶ ହୋଇ ୩୨୫ ନିଯୁକ୍ତି, ଆବିସ୍‌ ଏକ୍ସପୋର୍ଟସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୧୬୧.୫୭ କୋଟି ନିବେଶ ହୋଇ ୮୫୦ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି ।

ନୀଳାଚଳ ଇସ୍ପାତ ଲିମିଟେଡ୍‌ ଠାରୁ ଲେକଲର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଯାଏଁ । ୨୦ଟି ବଡ଼ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏଥିରେ ମୋଟ୍‌ ୧,୧୪,୯୯୩ କୋଟି ପୁଞ୍ଜି ନିବେଶ ହେବ । ଯାହାଦ୍ୱାରା ପାଖାପାଖି ୩୫,୮୩୮ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ । ସେପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଶିଳ୍ପକୁ ପୂର୍ବ ସରକାରର ଅବଦାନ କିଛି କମ ନୁହେଁ । କିନ୍ତୁ ନୂଆ ସରକାର ଶିଳ୍ପ ବିକାଶକୁ ଗୁରୁତ୍ୱ ନ ଦେଲେ ରାଜ୍ୟର ବିକାଶ ହେବନି ।

ଭିଜନ୍‌ ୨୦୩୬କୁ ବଳ ଦେବ ଶିଳ୍ପ । ଏଥିପାଇଁ ଆରମ୍ଭ ହୋଇଛି କାର୍ଯ୍ୟାନ୍ୱୟନ । ଶିଳ୍ପମୁହାଁ ସରକାର, ରାଜ୍ୟରେ ଅଧିକ ପୁଞ୍ଜି ଲଗାଣ ଲାଗି ପରିବେଶ ସୃଷ୍ଟି କରୁଛନ୍ତି । ଆଗକୁ ଅନ୍ୟ ଜିଲ୍ଲା ବି ଦେଖିବ ଶିଳ୍ପ ବିକାଶର ବଡ଼ ଚେହେରା ।