କନକ ବ୍ୟୁରୋ: ମୋଦୀ-ମୋହନଙ୍କ ଭେଟକୁ ମାସେ ପୂରିନି, ଏବେ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଯାହା ପରେ ଚର୍ଚ୍ଚା ବଢିଛି, ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ । ଖାଲି ସେତିକି ନୁହେଁ, ଗତ ବର୍ଷେରୁ ଅଧିକ ସମୟ ହେଲା, ନିଗମ, ବୋର୍ଡ ନିଯୁକ୍ତି ନେଇ ଯେଉଁ ଅଛିଣ୍ଡା ଅଙ୍କ ରହିଛି, ସେନେଇ ମଧ୍ୟ ଦିଲ୍ଲୀ ନେତାଙ୍କ ସହ ଦୁଇ ମୁଖିଆଙ୍କ ଆଲୋଚନା ହୋଇପାରେ ବୋଲି ଖବର ଆସୁଛି ।
ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରଠାରୁ, ମନ୍ତ୍ରିମଣ୍ଡଳରେ ଗୋଟିଏ ବି ଅଦଳବଦଳ ହୋଇନି । ଏବେ ବି ମୋହନ ସରକାରରେ ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଥିବାବେଳେ, ଅନେକ ନେତା ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । ଆଉ ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ମୁଖିଆଙ୍କ ଦିଲ୍ଲୀ ଡାକରା ଆସିଛି ।
ସେପଟେ ନିଗମ ଆଉ ବୋର୍ଡ ନିଯୁକ୍ତି ନେଇ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ଯେହେତୁ ଦଳ ଏଥର ପ୍ରଥମ ଥର ପାଇଁ ସରକାରକୁ ଆସିଛି, ତେଣୁ କାହାକୁ ବୋର୍ଡ, ନିଗମ ଆଉ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ, ସେନେଇ ଦଳ ଭାବିଚିନ୍ତି ନିଷ୍ପତ୍ତି ନେଉଛି । ଆଉ ଏହି କାରଣରୁ ମନ୍ତ୍ରିମଣ୍ଡଳ ସହିତ ନିଗମ, ବୋର୍ଡ ନିଯୁକ୍ତି ବିଳମ୍ବ ହେଉଛି ବୋଲି ଚର୍ଚ୍ଚା ହେଉଛି ।
ଏହା ପୂର୍ବରୁ ମଧ୍ୟ ଗଲା ମାସରେ ରାଜ୍ୟ ବିଜେପି ସଭାପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଆଉ ଏତିକି ବେଳେ ଗୋଟିଏ ଫାଇଲକୁ ନେଇ ଚର୍ଚ୍ଚା ବଢ଼ିଥିଲା । ମୋଦୀଙ୍କ ସହ ସାକ୍ଷାତ ବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋଟିଏ ଫାଇଲ୍ ଧରି ବସିଥିଲେ । ଯାହାପରେ ଚର୍ଚ୍ଚା ବଢିଲା ଯେ, ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ, ସେନେଇ ମୋଦୀଙ୍କଠାରୁ ଗ୍ରୀନ୍ ସିଗନାଲ୍ ମିଳିସାରିଛି । ହେଲେ ତା ପରେ ପରେ ବାଲେଶ୍ୱର ଆଉ ବଳଙ୍ଗା ଘଟଣାକୁ ନେଇ ଓଡ଼ିଶା ରାଜନୀତି ଯେମିତି ସରଗରମ ହୋଇଛି, ଆଉ ଏତିକି ବେଳେ ଓଡ଼ିଶା ନେତାଙ୍କୁ ଦିଲ୍ଲୀ ଡାକରା ବଡ଼ ରାଜନୈତକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।