କନକ ବ୍ୟୁରୋ : ବିକାଶ ଓ ସ୍ୱଛତାର କଥା କହୁଥିବା ବିଜେଡି ସରକାରର ଗୁମର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବାୟ ଦୁର୍ନୀତି, ଧାନ ବୋନସରେ ବାଟମାରଣା, ଫାଇଭ-ଟି ସ୍କୁଲ ନାଁରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦୁର୍ନୀତିଖୋରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଜବାବ ଦେଇ କଟାକ୍ଷ କରିଛି ବିଜେଡି ।
ବିକାଶ ନାଁରେ ପୂର୍ବ ସରକାର ବିଭିନ୍ନ ଯୋଜନା କରିଥିଲେ । ସ୍ୱଛତା ନାଁରେ ଡିଣ୍ଡିମ ପିଟୁଥିଲେ । କିନ୍ତୁ ସେହି ସରକାରରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ଓ ପ୍ରତାରଣକୁ ନେଇ ପୁଣି ଥରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗତ ସରକାର କେମିତି କଥା ଦେଇ କଥା ରଖିନଥିଲେ ତାହା ବଖାଣିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଧାନରେ ୧୦୦ଟଙ୍କା ବୋନସ ଦେବାକୁ କହି ଠକିଥିଲେ । ସେଥିପାଇଁ ଚାଷୀ ଆତ୍ମହତ୍ୟା ବଢ଼ିଥିଲା । ଆଉ ଏକ କାର୍ୟ୍ୟକ୍ରମରେ ଯୋଗଦେଇ କହିଛନ୍ତି, କୋଅପରେଟିଭ୍ ବିଭାଗ କରପସନ୍ ବିଭାଗରେ ପରିଣତ ହୋଇଥିଲା । ଏଥିସହ ଚାଷୀଙ୍କଠାରୁ କେମିତି ସଠିକ୍ ଭାବେ ଧାନ କିଣା ହେବ ଓ ସେମାନେ ତାଙ୍କ ଧାର୍ୟ୍ୟ ମୂଲ୍ୟ ପାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ।
ସୁରଭି କାର୍ୟ୍ୟକ୍ରମ ଉଦଯାପନି ଉତ୍ସବରୁ, ଫାଇଭ୍- ଟି ସ୍କୁଲ ନାଁରେ କାନ୍ଥରେ କେବଳ ରଙ୍ଗ ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି । କେବଳ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ନାହାନ୍ତି । ଦୁର୍ନୀତିଗ୍ରସ୍ତଙ୍କୁ ଚେତାବନୀ ଦେଇ କହିଛନ୍ତି, ଯେଉଁମାନେ ବିଭ୍ରାଟ କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ସହ ଝାରପଡା ଜେଲ ପଠାଯିବ ।
ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରିବା ପରେ ଜବାବ ରଖିଛି ବିଜେଡି । ବୋନସ ନାଁରେ ଲଲିପପ୍ ଦେଖାଉଛନ୍ତି କହି କଟାକ୍ଷ କରିଛନ୍ତି ବିଜେଡି ନେତା । ସରକାର ବଦଳିବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିକୁ ନେଇ ଟାର୍ଗେଟ କରି ଆସୁଛନ୍ତି । ହେଲେ, ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିକୁ କେବ ମୋହନ ସରକାର ପର୍ଦ୍ଦାଫାଶ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।