କନକ ବ୍ୟୁରୋ : ବଲାଙ୍ଗୀରରୁ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋୟର ସୁକତେଲ ପ୍ରକଳ୍ପ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ସହ ସେଥିରେ ପ୍ଲଟ, ଫ୍ଲାଟ ଓ ସୁନା ଗହଣା କିଣାଯାଇଥିବା ଅଭିଯୋଗ ଆଣି କଟାକ୍ଷ କରିଛନ୍ତି ।
ବଲାଙ୍ଗୀର ବେଲପଡ଼ାରେ ଆୟୋଜିତ ସାଧାରଣସଭାରେ ଉଦବୋଧନ ଦେଇ ପୂର୍ବ ବିଜେଡି ସରକାରକୁ ଏମିତି ଏକାଧିକ ପ୍ରଶ୍ନ ପଚାରିବା ସହ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି, ବିଜେଡି କଥା କହିବାରେ ମାହିର ହେଲେ କାମ କରିବାରେ ଶୂନ । ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୪ରୁ ୨୬ ବର୍ଷ ଲାଗିଗଲା । ତଥାପି ସୁକତେଲ ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି । ଲୋୟର ସୁକତେଲ ନିର୍ମାଣ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ ପଚାରିବା ସହ କଟାକ୍ଷ କରି କହିଛନ୍ତି, ପ୍ରକଳ୍ପ ଟଙ୍କାରେ କୋଠା, ଫ୍ଲାଟ, ଫାର୍ମ ହାଉସ, ଗହଣା କିଣାଗଲା ।
ବଲାଙ୍ଗୀର ଗସ୍ତରେ ଯାଇ ୮୧୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୫ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଯେଉଁଥିରେ ରହିଛି ୩୦୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ପ୍ରତିଶ୍ରୁତିବଦ୍ଧ, ଆଉ ପୂର୍ବପରି ହେବନି । ବେଲପଡ଼ା ଓ ବଲାଙ୍ଗୀରର ଜଳ ସମସ୍ୟା ଦୂର କରିବୁ । ଆଜିଠୁ ଆରମ୍ଭ ହେଲା ବଲାଙ୍ଗୀରର ବିକାଶର ଧାରା ।
ଲୋୟର ସୁକତେଲ ପ୍ରକଳ୍ପକୁ ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ବେଳେ, ଏହାକୁ ତରବରିଆ ଭାବେ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ପ୍ରକଳ୍ପର ଉଦ୍ଦଘାଟନ ପରେ ବି ଚାଷ ଜମିକୁ ପାଣି ନମାଡିବା, ନିର୍ମାଣ ଦାୟିତ୍ୱରେ ଥବା ଯନ୍ତ୍ରୀ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେବା କେଳେଙ୍କାରୀକୁ ପଦାରେ ପକାଇଥିଲା । ଆଉ ଏବେ ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଥିବାବେଳେ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ।