କନକ ବ୍ୟୁରୋ: ଯାଜପୁରରେ ରାବଣମାନଙ୍କ ରାଜୁତି ସରିଯାଇଛି । ଏବେ ଏ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ କହିଛନ୍ତି, ଯାଜପୁରବାସୀ ଏଠାରୁ ପରିବାରବାଦକୁ ବିଲୋପ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ଆପଣମାନେ ଧନ୍ୟବାଦର ପାତ୍ର । ଦୁଇଟି ପରିବାର ରାଜନୀତିରେ ନିଜକୁ ସର୍ବେସର୍ବା ବୋଲି ଭାବୁଥିଲେ । ଅହଂକାର କାହାର ରହେନାହିଁ । ଅତି ଗର୍ବେ ହତ ଲଙ୍କା ଭଳି ଆଜି ସେମାନଙ୍କର ଅବସ୍ଥା ହୋଇଛି । କିଛି ନେତା ଏଭଳି ଭୋକିଲା ଥିଲେ ଯେ ବାଲି , ପଥର ସବୁ ଖାଇଯାଉଥିଲେ । ଏବେ ସେମାନଙ୍କର ବଦହଜମି ହୋଇଛି । ଆମ ସରକାର ସେମାନଙ୍କ ପାଇଁ ଔଷଧ ରଖିଛନ୍ତି । ପୂର୍ବ ସରକାର ୨୪ବର୍ଷରେ କି କାମ କରିଥିଲେ ଯେ ଲୋକ ସେମାନଙ୍କୁ ବିରୋଧୀ ଆସନରେ ବସାଇ ଦେଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।
ବର୍ତ୍ତମାନର ମନ୍ତ୍ରୀ, ବିଧାୟକ ଲୋକଙ୍କ କାମ କରିବାକୁ ନିର୍ବାଚିତ ହୋଇଛନ୍ତି । ଟ୍ରାଫିକ କାମ କରିବା ପାଇଁ ନୁହେଁ ବୋଲି କହି ବିଜେଡି ନେତା ବବିଙ୍କ ଆଡକୁ ବାଣ ମାରିଥିଲେ ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଳାର ଶିଳ୍ପର ବିକାଶ ପାଇଁ ତାଙ୍କ ସରକାର ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ । ଡଙ୍କାରୀଠାରେ ପ୍ରସ୍ତାାବିତ ତୈଳ ସଂରକ୍ଷଣ ପ୍ରକଳ୍ପ ଆଶା ପୂର୍ବ ସରକାର ସମୟରେ ମଉଳି ଯାଇଥିଲା । ରାଜ୍ୟରେ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଏହି ପ୍ରକଳ୍ପ ପାଇଁ ବ୍ୟ ବରାଦ ଚାରି ହଜାର କୋଟି ଟଙ୍କାରୁ ୧୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।