କନକ ବ୍ୟୁରୋ : ଚାଷ ଓ ଚାଷୀଙ୍କ କଥା କହି ବିଜେଡି କ୍ଷମତାକୁ ଆସିଥିଲା । ୨୪ବର୍ଷ ଶାସନ କଲା । କିନ୍ତୁ ଏହି ୨୪ବର୍ଷରେ ଚାଷୀଙ୍କ ସମସ୍ୟାର ସମାଧାନ ଯେମିତି ହେବା କଥା ସେମିତି ହୋଇନାହିଁ । ଏବେ ବି ରାଜ୍ୟର ଅଧାରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ନାହିଁ । ଏହାକୁ ପ୍ରସଙ୍ଗ କରି, ପାଣି ପଞ୍ଚାୟତ କାର୍ଯ୍ୟକ୍ରମରୁ ଆଜି ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଡ଼ା ଜବାବ ଦେଇଛି ବିଜେଡି ।

Advertisment

ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମରେ ପୁଣି ଜଳସେଚନ ନାଁରେ ତତକାଳୀନ ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ ଜଳଯୋଗାଣ ହେଲେ ଚାଷୀଙ୍କ ଅଧା ସମସ୍ୟା ସମାଧାନ ହୋଇଯିବ । କିନ୍ତୁ ଏଥିପାଇଁ ୨୪ ବର୍ଷରେ ଯେତିକି ଉଦ୍ୟମ ହେବା କଥା ହୋଇନାହିଁ । ଜଳସେଚନ ପାଇଁ ନୂଆ ସରକାର ପ୍ରାଥମିକତା ଦେଉଛନ୍ତି । ପାଣି ପଞ୍ଚାୟତଗୁଡିକର ନିର୍ବାଚନ ଓ ଅଡିଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜଳସେଚନ ପ୍ରକଳ୍ପଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧ ଲକ୍ଷ ୪୨ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ହେବ ।

ଜଳସେଚନ ନାଁରେ ପୂର୍ବ ସରକାରଙ୍କୁ ଘେରିବା ନେଇ ମୁହଁ ଖୋଲିଛି ବିଜେଡି । ଦଳ ବିଧାୟକ, ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ନିଜର ଦୋଷ ଘୋଡାଇବା ପାଇଁ ପ୍ରତି କଥାରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରିବା ଅଭ୍ୟାସରେ ପରିଣତ ହୋଇଛି । ଆଗକୁ ଅନ୍ୟକୁ ଦୋଷ ନ ଦେଇ ରାଜ୍ୟବାସୀଙ୍କ ପାଇଁ କାମ କରନ୍ତୁ ।

ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଲଗାତାର ଭାବେ ମୋହନ, ପୂର୍ବ ବିଜେଡି ସରକାରକୁ ସମାଲୋଚନା କରି ଆସୁଛନ୍ତି । ବିକାଶ ନାଁରେ କେବଳ ପ୍ରଚାର କରୁଥିଲେ ବୋଲି ଅଭିଯୋଗ କରୁଛନ୍ତି । ଏବଂ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ହେଲେ, ମୁଖ୍ୟମନ୍ତ୍ରୀ ଦେଉଥିବା ନିର୍ଦ୍ଦେଶ କେତେ ପାଳନ ହେଉଛି ? କେଉଁ କେଳେଙ୍କାରୀର ତଦନ୍ତ କେତେ ବାଟ ଗଲା ? ତଦନ୍ତ ହେଉଛି କି ନାହିଁ ? ତାହା ଅସ୍ପଷ୍ଟ ରହିଛି ।