କନକ ବ୍ୟୁରୋ : ଭୁବନେଶ୍ୱର ଓ ରାଉରକେଲା ଭଳି କଟକ ହେବ ସ୍ମାର୍ଟ ସିଟି । କଟକ ସହରର ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଆଜି କଟକରେ ଗୋଟି ଗୋଟି କରି ୩୪ଟି ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ମଣ୍ଡପ ଗୁଡିକରେ ସାଜସଜ୍ଜା, ତାରକସି କାମ ଓ ମୃଣ୍ମୟୀ ମୂର୍ତ୍ତି ଦେଖି ଅଭିଭୂତ ହୋଇଯାଇଥିଲେ । କହିଥିଲେ, ଭାଇଚାରାର ସହର କଟକର ହେବ ସର୍ବାଙ୍ଗୀନ ଉନ୍ନତି । ତାସହ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା ସାରା ବିଶ୍ୱରେ କେଉଁଠି ଅଛି ମୁଁ ଦେଖିନାହିଁ । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି । କଟକରେ ଭାଇଚାରା ରହିଆସିଛି । କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ । ଆଗାମୀ ଦିନରେ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେବ । ଓଡ଼ିଶାକୁ କଟକ ସହ ସମୃଦ୍ଧି ଆଣନ୍ତୁ ବୋଲି ପ୍ରାର୍ଥନା କଲି । ତେଣୁ କଟକକୁ ଖୁବଶୀଘ୍ର ସ୍ମାର୍ଟସିଟି କରାଯିବ ।

କଟକରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । ୩୪ ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଲେ ମୋହନ ମାଝୀ । ଖାନନଗରରେ ଖାଇଲେ ଦହିବରା ଆଳୁଦମ । ସନ୍ଧ୍ୟାରେ କେନ୍ଦୁଝର ଯାଇ ମାଆଙ୍କୁ କରିବେ ଦର୍ଶନ ।