କନକ ବ୍ୟୁରୋ: ଆକାଶମାର୍ଗରୁ ମାଲକାନଗିରି ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ସ୍ଥିତି ପରଖିଲେ ମୋହନ ମାଝୀ ।  ବନ୍ୟାରେ ହୋଇଥିବା କ୍ଷୟକ୍ଷତିର କଲେ ସମୀକ୍ଷା । 

ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା । ବିଶେଷ କରି ମାଲକାନଗିରିରେ ଉତ୍କଟ ବନ୍ୟା ସ୍ଥିତି ଦେଖା ଦେଇଥିଲା । ବର୍ଷା ପୂର୍ବାନୁମାନ କରି ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରଶାସନକୁ ସତର୍କ କରାଯାଇଥିଲା । ଆଜି ବନ୍ୟା ପରର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜସ୍ବମନ୍ତ୍ରୀ । ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ପ୍ରବଳ ବର୍ଷା ଆଶଙ୍କାରେ ସରକାର ପୂର୍ବରୁ ପର୍ୟ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଥିଲେ । ୮୮୩୦ ହେକ୍ଟର ଜମି ବର୍ଷା ଯୋଗୁଁ ଜଳମଗ୍ନ ହୋଇଥିଲା । ଫଳରେ ଚାଷୀଙ୍କ ଫସଲ କ୍ଷୟକ୍ଷତି ହୋଇଛି । ୫୭୬ଟି ଘର ଆଂଶିକ କ୍ଷତି ହୋଇଥିବା ବେଳେ ୨୧ଟି ଘର ସମ୍ପୂର୍ଣ୍ଣ କ୍ଷତି ଘଟିଛି । କ୍ଷତିଗ୍ରସ୍ତଙ୍କ ପାଇଁ ପଲିଥିନ ସହ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ ସରକାର । ୧୫ଟି ତଳିଆ ବ୍ରିଜ ବା ରାସ୍ତା ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇ ଥିଲା ବା ଧୋଇ ହୋଇଯାଇଛି । ଏସବୁ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।” 

କ୍ଷୟକ୍ଷତି ସମ୍ବଳିତ ତଥ୍ୟ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ଯେଉଁମାନଙ୍କ ଘର ଭାଙ୍ଗିଛି ବା କ୍ଷତିଗ୍ରସ୍ତ ହୋଇଛି ତାହାର ସମୀକ୍ଷା କରାଯିବା ସହ ସହଯୋଗ କରିବେ ସରକାର । ଯେଉଁମାନଙ୍କ ଫସଲ କ୍ଷତି ହୋଇଛି ତାହାର ବି ସମୀକ୍ଷା କରିବେ ସରକାର । ଏହାପରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।