କନକ ବ୍ୟୁରୋ: ପୂର୍ବ ସରକାର ସମୟରେ ଜଳସେଚନ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନଙ୍କ ସନ୍ଦେହ ପରେ କୋଟି କୋଟି କୋଟି ଟଙ୍କା ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ଡ୍ୟାମରୁ କେତେ ଜମି ଜଳସେଚିତ ହେଉଛି, ସେ ନେଇ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍।
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ
ଚାଷ ଜମିର ଜଳସେଚନ ପାଇଁ ୧୫୭୭ କୋଟି ଟଙ୍କା ଖର୍ଚ୍ଚରେ ବରଗଡ ଜିଲ୍ଲାରେ ନିର୍ମାଣ ହୋଇଥିଲା ଏହି ପ୍ରକଳ୍ପ, କିନ୍ତୁ ବିଡମ୍ବନାର ବିଷୟ ଫେଲ୍ ମାରିଛି ଏହି ପ୍ରଳକ୍ପ। କେଉଁଠି ପାଣି ମାଡୁଛି ତ ଆଉ କେଉଁଠି ପାଣି ମାଡୁନଥିବା ଦେଖିବାକୁ ମିଳୁଛି। ବଡ କଥା ହେଉଛି ସରକାରୀ ଭାବେ ଯେତିକି ଜମିକୁ ପାଣି ଦିଆଯାଉଛି ବୋଲି ଦର୍ଶାଯାଇଛି ତାହା ଭୁଲ୍ ବୋଲି କହିଛନ୍ତି ଚାଷୀ।
ସାପୁଆ ସେତୁ
ଢ଼େଙ୍କାନାଳ ହିନ୍ଦୋଳ ନିର୍ବାଚନମଣ୍ଡଳୀର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ୧୯୯୯ ମସିହା କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବିଜେଡି ସରକାର ସମୟରେ ୨୦୦୬ରେ ଉଦଘାଟନ ହୋଇଥିଲା। ହେଲେ, ବିଡମ୍ବନାର ବିଷୟ ଦୀର୍ଘ ୨୬ ବର୍ଷ ପରେ ଜଳସେଚନ ବ୍ୟବସ୍ଥା ଅସମ୍ପୂର୍ଣ୍ଣ ରହିଛି।
କେବଳ ଏହି ଦୁଇଟି ପ୍ରକଳ୍ପ ନୁହେଁ ରାଜ୍ୟରେ ହୋଇଥିବା ଅଧିକାଂଶ ଜଳସେଚନ ପ୍ରକଳ୍ପର ସ୍ଥିତି ଏମିତି। ପ୍ରକଳ୍ପର ଉଦଘାଟନ ହୋଇଯାଇଛି କିନ୍ତୁ ଚାଷ ଜମିକୁ ମାଡୁନି ପାଣି। ତେଣୁ ଏହି ସବୁ ଜଳସେଚନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାରେ ଦୁର୍ନୀତି ହୋଇଥିବା ସନ୍ଦେହ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେହ ପରେ ଏହି କେଳେଙ୍କାରୀର ଗୁମର କେବେ ଫିଟିବ ତାକୁ ଅପେକ୍ଷା।