କନକ ବ୍ୟୁରୋ : ବଦଳିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ୟୁନିଟ-୫ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ-୨ ଅଶୋକ ନଗର ସ୍ଥିତ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ହୋଇଛି ଶୁଣାଣି । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାରେ ଲୋକ ଆସିଛନ୍ତି ନିଜ ନିଜର ଅଭିଯୋଗ ଜଣାଇବାକୁ ।
ଜୁନ ଦ୍ୱିତୀୟ ସପ୍ତାହରେ ବିଜେପି ସରକାରକୁ ଏକବର୍ଷ ପୂରିବ । ଆଉ ଆଜି ୧୧ତମ ଜନଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଅନଲାଇନ୍ ଜରିଆରେ ହଜାରେ ଲୋକ ଅଭିଯୋଗ ପାଇଁ ପଞ୍ଜୀକରଣ କରିଥିଲେ । ଆଉ ଏମାନଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଖରାକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ଜନଶୁଣାଣି ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି, ୮୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି ।
ଅଭିଯୋଗ ଶୁଣାଣିବେଳେ ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ଅନେକ ସରକାରୀ ଚାକିରିଆଙ୍କ ପରିବାର ଲୋକ ପୁଣି ଚାକିରି ପାଇଁ ଆବେଦନ କରିଛନ୍ତି । ଅନେକ ପୁରୁଣା ସମସ୍ୟା ଧରି ବି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ । କିଛି ଲୋକଙ୍କୁ ଆର୍ଥିକ ସହାୟତା ବି ଦେଇଥିଲେ ।
ପୂର୍ବରୁ ଭୁବନେଶ୍ୱରରେ ୧୦ ଥର ଓ ସମ୍ବଲପୁରରେ ଥରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିସାରିଛନ୍ତି । ଏବେ ବ୍ରହ୍ମପୁରରେ ମଧ୍ୟ ଅଭିଯୋଗର ଶୁଣାଣି ହେବ ବୋଲି ଜଣାପଡିଛି ।