Public Grievances Photograph: (Kanak News)
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।
ଯାଜପୁରର ମାଣିକ ରଥ । ବୟସ ୮୬ । ଏହି ପରିଣତ ବୟସରେ ଏକା ଏକା ବିତୁଛି ଜୀବନ । ପୁଅ, ବୋହୂ ଅଛନ୍ତି, କିନ୍ତୁ ବାହାରେ ଚାକିରି କରୁଛନ୍ତି, ପୁଣି ଅଲଗା ଅଲଗା । ଏହି ବୟସରେ ପାଖରେ କେହି ରହୁନଥିବାରୁ ମାଣିକ ଅସହାୟ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି କୋରାପୁଟରୁ ପୁଅକୁ ବଦଳି କରି ଯାଜପୁର ଆଣିବାକୁ ।
ଅଧିକ ପଢ଼ନ୍ତୁ : ଅଲୋଡ଼ା ହୀରା ମାଣିକ; ଆବାସ ମିଳୁନି କି ନାହିଁ ରାସନ
ସେହିପରି କେନ୍ଦ୍ରାପଡ଼ାର ସନ୍ତୋଷ ସାହୁ । ଦିବ୍ୟାଙ୍ଗ କୋଟାରେ ୨୦୧୪ ମସିହାରେ ଚାକିରି ପାଇଥିଲେ । ୨୦୨୧ରେ କୌଣସି କାରଣ ନଦର୍ଶାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ନ୍ୟାୟ ପାଇଁ ନେତା ଓ ଅଧିକାରୀଙ୍କ ପାଖକୁ ଯାଇ ନିରାଶ ହୋଇଥିଲେ । ଏବେ ହାଇକୋର୍ଟ ସନ୍ତୋଷକୁ ପୁଣି ଚାକରି ଦେବାକୁ ନିର୍ଦ୍ଦେଶ ଦେବା ପରେ ବି ଏହା କାର୍ଯ୍ୟକାରୀ ହେଉନାହିଁ । ଏ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି ସନ୍ତୋଷ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତିରେ ସନ୍ତୋଷ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଆଜି ଥିଲା ୧୫ତମ ପାଳି । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ଶୁଣାଇଛନ୍ତି । ୧୪ଟି ପାଳିରେ ୧୨ ହଜାର ୯୫୦ ଅଭିଯୋଗ ଆସିଛି । ୫୦ହଜାର ଲୋକ ଏ ଯାଏଁ ଆସିସାରିଲେଣି । ୧୨ ହଜାର ୩୭୧ ଅଭିଯୋଗରୁ ୯୬% ଅଭିଯୋଗର ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି । ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ସମସ୍ୟା ଜିଲ୍ଲା ସ୍ତରରେ ହୋଇପାରିବ ସେଠାରେ ସମାଧାନ ହେଉ । ଭୁବନେଶ୍ୱରକୁ କେବଳ ବଡ଼ ବଡ଼ ଜଟିଳ ମାମଲା ଆସିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅନେକ ସରକାରୀ କାମ ଥିଲା । ତାସତ୍ତ୍ୱେ ସରକାରଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Follow Us