କନକ ବ୍ୟୁରୋ: ଆରଜି କର ହସ୍ପିଟାଲ କଥା ମନରୁ ନଲିଭୁଣୁ, ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀ  । ମେଡିକାଲ ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏହାକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି । ସାରା ଦେଶରେ ହଇଚଇ  ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏଭଳି ଉଦବେଗଜନକ ଘଟଣା ଘଟିଛି । ଘରୋଇ ମେଡିକାଲ କଲେଜରେ ପଢୁଥିଲେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । MBBS ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ପଶ୍ଚିମବଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାକୁ ନେଇ ମେଡିକାଲ କଲେଜ କ୍ୟାମ୍ପସ୍ ସମେତ ଦୁର୍ଗାପୁରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ସମ୍ପୃକ୍ତ ମେଡିକାଲ କଲେଜର ଶତାଧିକ ଛାତ୍ରଛାତ୍ରୀ ।

Advertisment

- ଗତ ରାତି ପ୍ରାୟ ୮ଟା ୩୦ ବେଳେ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ
- ଜଣେ ପୁରୁଷ ବନ୍ଧୁଙ୍କ ସହ ଯାଇଥିବା ବେଳେ ପିଛା କରିଥିଲେ କିଛି ଦୁର୍ବୃତ୍ତ  
- କ୍ୟାମ୍ପସ୍ ଗେଟ୍ ନିକଟରେ ତାଙ୍କୁ ନିଛାଟିଆ ଜାଗାକୁ ଟାଣି ନେଇଥିଲେ
- ଜଙ୍ଗଲିଆ ଜାଗାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ 
- ପୁରୁଷ ବନ୍ଧୁ ଯୁବତୀଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଇଥିବା ଅଭିଯୋଗ
- ଘଟଣାରେ ପୁରୁଷ ବନ୍ଧୁଙ୍କ ସଂପୃକ୍ତିକୁ ନେଇ ଉପୁଜିଛି ସନ୍ଦେହ 
- ପୀଡ଼ିତାଙ୍କ ଠାରୁ ମୋବାଇଲ୍ ଓ ୫ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ
- ପୁରୁଷ ବନ୍ଧୁଙ୍କ ସମେତ କିଛି ଲୋକଙ୍କୁ ପଚରାଉଚରା କରୁଛି ପୋଲିସ
- ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା 

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲେଖିଛନ୍ତି, ’ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଢ଼ ଦାବି ଜଣାଉଛି’ । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପଶ୍ଚିମବଙ୍ଗ ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି ।