କନକ ବ୍ୟୁରୋ: ରାଜ୍ୟ ସରକାର ସ୍କୁଲପିଲାଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ଏକ ଟଙ୍କା ବୃଦ୍ଧି କରିଛନ୍ତି । ଆଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାସିକ ୨ହଜାର ଟଙ୍କା ଖର୍ଚ୍ଚକୁ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ଏଣିକି ପିଲାମାନେ ଆଦର୍ଶ ସ୍କୁଲ ହଷ୍ଟେଲରେ ମାଗଣାରେ ରହିପାରିବେ ଓ ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି । ମଧ୍ୟାହ୍ନଭୋଜନ ଖର୍ଚ୍ଚ ବଢାଯିବା ପରେ  ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ବଢ଼ୁଥିବା ପ୍ରାୟ ୪୩ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ । ଏବେ ପ୍ରତ୍ୟେକ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଦୈନିକ ୫.୯୦ଟଙ୍କା ଓ ଉଚ୍ଚପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୮.୮୨ଟଙ୍କା ଦେଉଛନ୍ତି । ବଜାର ଦରବୃଦ୍ଧିକୁ ଦୃଷ୍ଟିରେ ଣଖି ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମଧ୍ୟାହ୍ନଭୋଜନ ଖର୍ଚ୍ଚରେ ଏକ ଟଙ୍କା ବୃଦ୍ଧି କରିଛନ୍ତି ।