କନକ ବ୍ୟୁରୋ: ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଏମ୍‌ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହ ଆଲୋଚନା କରିଛନ୍ତି । ଚିକିତ୍ସା ବ୍ୟବସ୍ଥାର ମନିଟରିଂ ପାଇଁ ଗଠନ ହୋଇଥିବା ୮ ଜଣିଆ ବିଶେଷଜ୍ଞ ଟିମ୍‌ ସହ ବି କଥାବାର୍ତ୍ତା ହୋଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ଏମ୍‌ସ ଯାଇଛନ୍ତି । ଏହାପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବାପାଙ୍କ ସହ ଆଲୋଚନା କରିଥିଲେ । 

Advertisment

ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଫଏମ୍ କଲେଜ ଛାତ୍ରୀଙ୍କ ପରିସ୍ଥିତି ଜଟିଳ । ତାଙ୍କ ଚିକିତ୍ସା ଚାଲିଛି । ଦିଲ୍ଲୀ ଏମ୍ସ ଭଳି ଚିକିତ୍ସା କରାଯାଉଛି । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇପାରେ । 

ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା। ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ତେବେ ଆଗାମୀ ୨୪ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଏପଟେ ଭୁବନେଶ୍ବର ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ପୀଡ଼ିତାଙ୍କ ଚିକିତ୍ସାର ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏହି ୮ ଜଣିଆ ଡାକ୍ତରୀ ଟିମ୍ ପୂରା ଚିକିତ୍ସା ବ୍ୟବସ୍ଥାର ମନିଟରିଂ କରୁଛନ୍ତି। ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି।