କନକ ବ୍ୟୁରୋ: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ନାମରେ ନାମିତ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ପ୍ରଥମ ଥର କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ, "ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ଆମେ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମାନ କରୁଛୁ । କାଳୀ ମନ୍ଦିର ଶିବ ମନ୍ଦିର ଦେଶର ପ୍ରତ୍ୟେକ ସ୍ଥାନରେ ରହିଛି । ତେବେ ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି ? ବିଜେପି କିଛି କଲେ ଆମେ ତ କିଛି ପ୍ରଶ୍ନ ଉଠାଇନୁ ।"
ସେପଟେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ଅନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଗତକାଲି ବସିଥିବା ଶ୍ରୀମନ୍ଦିର ପ୍ରଶାସନର ବୈଠକ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଇବେ ଶ୍ରୀମନ୍ଦିର ପ୍ରଶାସକ । ଜଗନ୍ନାଥ ଧାମ ଲେଖାଯିବା, ପୁରୀ ସେବାୟତ ଦୀଘା ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା, ବଳକା ଦାରୁରେ ମୂର୍ତ୍ତି ତିଆରି କରିବା ପ୍ରସଙ୍ଗରେ ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମହାପ୍ରଭୁଙ୍କ ଦାରୁ ନେଇ ଦୀଘା ମନ୍ଦିର ପାଇଁ ପ୍ରତିମା ନିର୍ମାଣ କରିବା ବରିଷ୍ଠ ଦଇତାପତି ରାମକୃଷ୍ଣ ମହାପାତ୍ରଙ୍କୁ ମହଙ୍ଗା ପଡିଛି । ଏକ ବଙ୍ଗାଳି ଟିଭି ଚ୍ୟାନେଲକୁ ନିଜେ ଦାରୁ ନେଇ ପ୍ରତିମା ନିର୍ମାଣ କରିଥିବା କହିଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଅନ୍ୟପଟେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଏହି ପ୍ରସଙ୍ଗ ଜଡ଼ିତ ଥିବାରୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସରକାର ।