କନକ ବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟର ଚାଷୀମାନେ ପାଇଛନ୍ତି ସିଏମ କିଷାନ ଟଙ୍କା । ୫୧ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୧୦୨୫ କୋଟି ଟଙ୍କା । ଏଥିପାଇଁ ଭୁବନେଶ୍ୱରରେ ଆୟୋଜିତ ସମାରୋହରେ ଯୋଗ ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ଅକ୍ଷୟ ତୃତୀୟାରେ ମୋଟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଛନ୍ତି । ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ପାଇଛନ୍ତି ସିଏମ କିଷାନ ଟଙ୍କା ।

ଭୁବନେଶ୍ୱର ବରମୁଣ୍ଡାରେ ଆୟୋଜିତ ଜାତୀୟ କୃଷକ ଦିବସରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ପୂର୍ବ ସରକାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା ଦିଆଯିବା ନେଇ ସଂକଳ୍ପ କରି ପଠାଇଥିଲେ । ସେତେବେଳେ ଚାହିଥିଲେ ନିଜେ ରାଜ୍ୟ ସରକାର ଏହା କରିପାରିଥାନ୍ତେ । ଗତ ସରକାର ସମୟରେ ଇଚ୍ଛାଶକ୍ତିର ଅଭାବ ରହିଥିଲା । ଆଳୁ ମିଶନ ଫେଲ, ପଣସ ମିଶନ ପିଆଜ ମିଶନ କୁଆଡେ ଗଲା ଜଣାନାହିଁ । ୨୪ ବର୍ଷରେ ୨୪ଟି ଶୀତଳଭଣ୍ଡାର ହୋଇପାରିଲା ନାହିଁ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ନିର୍ବାଚନ ପରେ କିଭଳି ପ୍ରତିଶ୍ରୁତିକୁ ପାଳନ କରାଯାଇଛି ତାକୁ ରାଜ୍ୟବାସୀ ଦେଖୁଛନ୍ତି ବୋଲି କହିଛି ବିଜେଡି । ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ସିଏମ କିଷାନ ଟଙ୍କା ମିଳିଛି । ସିଏମ କିଷାନ ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳିବ । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ୪ ହଜାର ଟଙ୍କା ଦେଉଛନ୍ତି ସରକାର ।