କନକ ବ୍ୟୁରୋ: ପୂର୍ବ ଘୋଷଣା ଅନୁସାରେ ସମ୍ବଲପୁରରେ ‘ସିଏମ କିଷାନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରକୁ ଆର୍ଥିକ ସହାୟତା ଦିଆଯାଇଛି । ଡିବିଟି ଜରିଆରେ ୯୨୫ କୋଟିରୁ ଅଧିକ ଟଙ୍କା ପଠାଇଛନ୍ତି ସରକାର । 

  • କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ମିଳିବ ୪ ହଜାର ଟଙ୍କା
  • ଭୂମିହୀନ କୃଷକ ପରିବାରକୁ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଦିଆଯିବ

ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ପୂର୍ବରୁ ବିଜେଡି ସରକାର କାଳିଆ ଯୋଜନା ଚଳାଇଥିଲେ । ରାଜ୍ୟରେ ମୋହନ ସରକାର କ୍ଷମତାକୁ ଆସିବା ପରେ ଯୋଜନାର ନାଁ ବଦଳାଇ ଦେଇଛନ୍ତି । ତେବେ କାଳିଆ ହିତାଧିକାରୀଙ୍କଠାରୁ ସିଏମ କିଷାନରେ ଅଧିକ ସଂଖ୍ୟକ ଚାଷୀ ଲାଭ ପାଇବେ ବୋଲି, ବିଧାନସଭାରେ ସୂଚନା ଦେଇଥିଲେ କୃଷିମନ୍ତ୍ରୀ । 

  • ନୂଆ ଚାଷୀ ପଞ୍ଜିକୃତ ହେବାକୁ ‘ସିଏମ କିଷାନ ପୋର୍ଟାଲ’ରେ ଆବେଦନ କରିବେ
  • ‘ପିଏମ କିଷାନ’ରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ମଧ୍ୟ ସାମିଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ 

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ଚାଷୀଙ୍କୁ ସରକାରୀ ସହାୟତା ପୂର୍ବପରି ଜାରି ରହିଛି । ଯାହାକୁ ନେଇ ଚାଷୀ ଖୁସି ପ୍ରକାଶ କରିଛନ୍ତି । ଅଥଚ ପୂର୍ବ ସରକାରର ଯୋଜନାକୁ କପି କରୁଥିବା ପୁଣିଥରେ ଅଭିଯୋଗ କରିଛି ବିଜେଡି ।

ତେବେ ରାଜ୍ୟର ପ୍ରାୟ ୬୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ତେଣୁ ଚାଷୀଙ୍କ ଉନ୍ନତିରେ ବିଶେଷ ସହାୟକ ହେବ ସରକାରଙ୍କ ଆର୍ଥିକ ସହାୟତା । କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ପିଏମ୍‌ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ ସିଏମ୍‌ କିଷାନର ଲାଭ ପାଇବେ ଚାଷୀ।