କନକ ବ୍ୟୁରୋ: ଓଡ଼ିଶା ହେବ ଷ୍ଟିଲ୍‌ ଶିଳ୍ପର ହବ୍‌ । ମୁମ୍ବାଇ ଗସ୍ତରେ ଶିଳ୍ପପତିଙ୍କୁ ଭେଟିବା ସହ ଓଡ଼ିଶା ଆସି ପୁଞ୍ଜିନିବେଶ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଞ୍ଚାମାଲ ଏବଂ ଜମି ଯୋଗାଇବା ସହ ପୂର୍ଣ୍ଣ ସହଯୋଗ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।

Advertisment

ଓଡ଼ିଶାରେ ନିବେଶ କରିବାରେ ଏହା ହେଉଛି ପ୍ରକୃଷ୍ଟ ସମୟ । ଓଡ଼ିଶାକୁ ଆସି ସମୃଦ୍ଧ ଓଡ଼ିଶା ଅଭିଯାନରେ ସାମିଲ ହେବାକୁ ଶିଳ୍ପପତିଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ‘ଇଣ୍ଡିଆ ଷ୍ଟିଲ ୨୦୨୫, ସମ୍ମିଳନୀ’ରେ ଷ୍ଟିଲ ଓ ମେଟାଲ ସେକ୍ଟରରେ ନିବେଶକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଷ୍ଟିଲ ହେଉଛି ଓଡ଼ିଶାର ମୁଖ୍ୟଶିଳ୍ପ । ଲୁହା ପଥରରେ ଓଡ଼ିଶା ଭାରତ ସବୁଠୁ ଆଗରେ । ଷ୍ଟିଲ ସେକ୍ଟରରେ ଭାରତର ସଫଳତା ପଛରେ ଓଡ଼ିଶା ଭୂମିକା ଗୁରତ୍ବପୂର୍ଣ୍ଣ । ୫୫% ଅଧିକ ଲୁହା ପଥର ଉତ୍ପାଦନ ଓଡ଼ିଶାରୁ ହେଉଛି । ତେଣୁ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ସହଜ ହେବ । 

ଶିଳ୍ପପତିଙ୍କୁ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନମନ୍ତ୍ରଣ କରିବା ସହ ମୁଖ୍ୟମନ୍ତ୍ରୀ ଶିଳ୍ପସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଜମି ଯୋଗାଇବା ପ୍ରତିଶ୍ରୁତି ଦେଇଛନ୍ତି । ଏଥସହ ଶିଳ୍ପସଂସ୍ଥା ପାଇଁ ରାସ୍ତା, ରେଳପଥ, ବିଦ୍ୟୁତ୍ ଏବଂ ପାଣି ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ମାଝୀ ।

ଶିଳ୍ପପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ କୌଣସି ସୁଯୋଗ ହାତଛଡା କରିନାହାନ୍ତି । ଓଡ଼ିଶାରେ ଭରପୂର ଥିବା ଖଣିଜସମ୍ପଦର ତଥ୍ୟ ଦେବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୁଡ୍ ଷ୍ଟିଲ ଏବଂ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଓଡ଼ିଶା ୧ ନମ୍ବରରେ ଅଛି । ଓଡ଼ିଶାରେ ୫୪ଟି ସମନ୍ବିତ ଇସ୍ପାତ କାରଖାନା ଅଛି । ସେଥିରୁ ବର୍ଷକୁ ୪୧.୨୧ ମିଲିଅନ ଟନ ଷ୍ଟିଲ ଉତ୍ପାଦନ ହେଉଛି । ହେଲେ ୨୦୩୦ ସୁଦ୍ଧା ବର୍ଷକୁ ୧୩୦ ମିଲିଅନ ଟନ ଷ୍ଟିଲ ଉତ୍ପାଦନ ନେଇ ଓଡ଼ିଶା ଲକ୍ଷ୍ୟ ରଖିଛି । ଓଡ଼ିଶାରେ ଥିବା ୮ଟି ଖଣିଜ ବ୍ଲକ ନିଲାମ ପାଇଁ ପ୍ରକିୟା ଆରମ୍ଭ ହୋଇଛି । ୨୦୨୬ ସୁଦ୍ଧା ଆଉ ୨୨ଟି ଖଣିଜ ବ୍ଳକ ନିଲାମ ହେବାର ଅଛି । ଷ୍ଟିଲ ଶିଳ୍ପ ପାଇଁ ଆବଶ୍ୟକ ଲୁହାପଥର, କୋଇଲା, ଚୂନ ପଥର କଣିବାକୁ ପଡ଼ିବନାହିଁ । କାରଣ ତାହା ଓଡ଼ିଶାରେ ଅଛି । ତେବେ ଷ୍ଟିଲ ଶିଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ରେଡ କାରପେଟ କେତେଦୂର ସଫଳ ହୋଇପାରୁଛି ତାହା ଦେଖିବାର କଥା ।