କନକ ବ୍ୟୁରୋ: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ବଢ଼ି ବଢ଼ି ଚାଲିଛି । ମାଫିଆ ମାଲମାଲ ହେଉଛନ୍ତି । ସରକାର ରାଜସ୍ବ ହରାଉଛନ୍ତି । କିନ୍ତୁ ବାଲି ଓ ପଥର ଚୋରି ରୋକିବାରେ ଯେମିତି ପଦକ୍ଷେପ ନେବା କଥା ସେମିତି ନେଇପାରୁନି ଖଣି ବିଭାଗ । ଏଭଳି ଅବ୍ୟବସ୍ଥାକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ, ରାଜସ୍ବ ବିଭାଗ ଅଧିକାରୀ ସମ୍ମିଳନୀ ଅବସରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
- ଲଘୁ ଖଣିଜ ଚୋରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ
- ବାଲିଘାଟ ଓ ପଥର ଖାଦାନ ଜଗିବେ ରାଜସ୍ବ ଅଧିକାରୀ
ଦିନକୁ ଦିନ ରାଜ୍ୟରେ ବାଲି ଓ ପଥର ମାଫିଆଙ୍କ ଲୁଟ୍ ଓ ଆତଙ୍କ ସୀମା ଟପୁଛି । ରାଜ୍ୟର ବିଭିନ୍ନ ନଦୀର ପେଟ ଚିରି କୋଟି କୋଟି ଟଙ୍କାର ବାଲି ତାଡ଼ି ନେଉଛନ୍ତି । ପାହାଡ଼ ଫଟାଇ ପଥର କାଟି ନେଉଛନ୍ତି । ହେଲେ, ରାଜ୍ୟ ସରକାରଙ୍କ ତହବିଲକୁ ଏ ବାବଦରେ ଟଙ୍କାଟିଏ ହେଲେ ବି ରାଜସ୍ବ ଆସୁନି । କର୍ମଚାରୀ ଅଭାବରୁ ଖଣି ବିଭାଗ ବି କିଛି କରିପାରୁନି । କିନ୍ତୁ ଏଣିକି ମାଫିଆଙ୍କ ଆତଙ୍କରାଜ ଚଳିବ ନାହିଁ । ଖଣି ବିଭାଗ ଦାୟିତ୍ବରେ ଥିଲେ ବି ରାଜସ୍ବ ବିଭାଗର ଅଧିକାରୀମାନେ ଏହାକୁ ଜଗିବେ । ରାଜସ୍ବ ବିଭାଗ ଅଧିକାରୀ ସମ୍ମିଳନୀରେ ଏନେଇ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖଣି ବିଭାଗରେ କର୍ମଚାରୀ ଅଭାବ କଥାକୁ ସ୍ବୀକାର କରିଛନ୍ତି । ଏଥିସହ ରାଜସ୍ୱ ବିଭାଗର ଅଧିକାରୀମାନେ ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ଆଶା ରଖିଛନ୍ତି ।
୨୦୨୨ରେ ଲଘୁ ଖଣିଜ ସମ୍ପଦକୁ ରାଜସ୍ବ ବିଭାଗ ଅଧୀନରୁ କାଢ଼ି ଖଣି ଓ ଇସ୍ପାତ ବିଭାଗକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା । ୨୦୨୩ ଏପ୍ରିଲ ୩ରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାଦ୍ବାରା ରାଜସ୍ବ ଆଦାୟ ବୃଦ୍ଧି ପାଇବ ବୋଲି ସେ ସମୟରେ କୁହାଯାଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୮୭ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବାବେଳେ ୨୦୨୪-୨୫ରେ ୯ ଶହ କୋଟି ଟଙ୍କା ଆଦାୟ ହୋଇଛି । ଅନ୍ୟପଟେ କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଟି ମାଲାମାଲ ହୋଇଛନ୍ତି ମାଫିଆ ।
ସୂଚନାଯୋଗ୍ୟ ଯେ, ବାଲି, ପଥର ଚୋରା ଚାଲାଣ ନେଇ ଖବର ପ୍ରସାରଣ ପରେ ରାଜ୍ୟ ସରକାର ମାର୍ଚ୍ଚ ମାସରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ଏସଓପି ଆଣିଥିଲେ । ହେଲେ ଚୋରା ଚାଲାଣ ରୋକିବାରେ ଏହି ଏସଓପି ସଫଳ ହୋଇପାରିନି, ବରଂ ବଢ଼ିଛି ମାଫିଆଙ୍କ ଆତଙ୍କରାଜ ।