କନକ ବ୍ୟୁରୋ : ବର୍ଷ ବର୍ଷର ଅପେକ୍ଷା ପରେ ପୂରଣ ହୋଇଛି ଚାଷୀଙ୍କ ଦାବି । ଓଡ଼ିଶାର ଭାତହାଣ୍ଡି ବରଗଡ ସୋହେଲାରୁ ଚାଷୀଙ୍କୁ ଧାନର ଇନପୁଟ ସହାୟତା ରାଶି ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋହେଲାର ଇଛାପାଲି ପଡିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଞ୍ଚରେ ୧୩ଜଣ ଚାଷୀଙ୍କୁ ବୋନସ ଟଙ୍କା ପ୍ରଦାନ କରଛନ୍ତି । ଯେଉଁମାନେ ଡିସେମ୍ବର ୬ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି ସେମାନଙ୍କୁ ବୋନସ ଟଙ୍କା ମିଳିଛି । ଏଥିସହ ଧାନ କିଣାଯିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଚାଷୀଙ୍କୁ ଇନପୁଟ ସହାୟତା ଦେବା ଅବସରରେ ପୂର୍ବ ସରକାର ଉପରେ ଜୋରଦାର ବର୍ଷିଛନ୍ତି ମୋହନ । କହିଛନ୍ତି, ବିଜେଡି ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ରଖିନଥିଲେ । କୁଇଣ୍ଟାଲ ପିଛା ଶହେ ଟଙ୍କା ବୋନସ ଦେବାକୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ । କିନ୍ତୁ ଆମ ସରକାର ମିଛୁଆ ସରକାର ନୁହେଁ, ଯାହା କହିଛି, ତାହା ରଖିଛି । ସେହିପରି ଧାନ ଦଲାଲଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡା ଚେତାବନୀ ଦେଇ କହିଛନ୍ତି, ମଣ୍ଡିରେ ଦଲାଲି କଲେ ଜେଲ ଯିବେ ଦଲାଲ ।
ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିବା ପରେ ଜବାବ ରଖିଛି ବିଜେଡି । ଅନ୍ୟପଟେ ମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ରାଜ୍ୟରେ ବିଜେପି ସରକାର ଆସିବାର ଏକ ଘଣ୍ଟା ପରେ କ୍ୟାବିନେଟରେ ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଆଉ ଛଅ ମାସ ଭିତରେ ସରକାର ଚାଷୀଙ୍କୁ ଏହି ବୋନସ୍ ପ୍ରଦାନ କରି ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରି ଇନପୁଟ ସବସିଡି ବଣ୍ଟା ଯାଇଛି।