କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। ଧରାଲି ପରେ ଥରାଲିରେ ହାହାକାର। ଉତ୍ତରକାଶୀର ଧରାଲିରେ ପ୍ରଳୟଙ୍କରୀ ବାଦଲଫଟା ବର୍ଷାକୁ କିଛିଦିନ ନବିତିଣୁ ଏବେ ଚମୋଲିର ଥରାଲି ଗାଁ ସମାନ ତାଣ୍ଡବ ଦେଖିଛି ।

Advertisment

ରାସ୍ତାରେ ବଡ଼ ବଡ଼ ପଥରଖଣ୍ଡ, ଅଟକି ରହିଛି ଯାନବାହନ । କେଉଁଠି ଘରର ଆସବାବପତ୍ର ଭାସିଯାଇଛି ତ ପୁଣି କେଉଁଠି ଘରଦ୍ବାର ଛାରଖାର ହୋଇଛି । ବନ୍ୟାପାଣି କମିଛି ସତ କିନ୍ତୁ ଦୁଃଖ ଦେଇଯାଇଛି ବାଦଲଫଟା ବର୍ଷା । ଶୁକ୍ରବାର ମଧ୍ୟରାତ୍ରରେ ହଠାତ ଚମୋଲିର ଗାଁ ଥରାଲିରେ କାଳ ପରି ମାଡ଼ି ଆସିଥିଲା ବନ୍ୟା। ପ୍ରାକୃତିକ ବିପର୍ଯ୍ୟୟରେ ବଡ଼ କ୍ଷତି ସହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥରାଲି । ହଠାତ୍ ବର୍ଷା ଫଳରେ ଥରାଲି ଗାଁରେ ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଥରାଲି ଗାଁର ଅନେକ ଘର ମାଟି ତଳେ ଦବି ଯାଇଛି। 

ଦେବଭୂମି ଉତ୍ତରାଖଣ୍ଡ ପାଇଁ ପ୍ରତିବର୍ଷ ବର୍ଷା ନେଇ ଆସୁଛି କାଳ । ପ୍ରାୟତଃ ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟ ଏକାଧିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏହା ପଛରେ ଏକାଧିକ ଭୌଗୋଳିକ କାରଣ ରହିଛି । ଯଦି ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇବା ତେବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏଭଳି ପ୍ରଳୟଙ୍କରୀ ଧ୍ବଂସଲୀଳା ବାରମ୍ବାର ଘଟିଛି । ବିଶେଷ କରି ଖିରୋ ଗାର୍ଡ, ହର୍ଷିଲ, ବଡ଼କୋଟ, କେଦାର ଗାଁ, ଖଲ୍ଲାଡ଼, ମାଟଲାଡ଼ ଓ କର୍ବାରୀରେ ପ୍ରାୟତଃ ଭୂସ୍ଖଳନ, ବାଦଲଫଟା ବର୍ଷା ସମସ୍ୟା ଦେଖାଯାଏ । ୧୮୩୫ ମସିହାରୁ ଲଗାତାର ଏଭଳି ଦୈବ ଦୁର୍ବିପାକ ସମ୍ମୁଖୀନ ହେଉଛି ଉତ୍ତରକାଶୀ 

ଦେବଭୂମିରେ ପ୍ରକୃତିର ତାଣ୍ଡବ
-ଉତ୍ତରକାଶୀରେ ବର୍ଷ ବର୍ଷ ଧରି ତାଣ୍ଡବ ରଚୁଛି ପ୍ରକୃତି
-୧୮୩୫ ମସିହାରୁ ବାରମ୍ବାର ଭୂସ୍ଖଳନ, ବନ୍ୟା, ବାଦଲଫଟା ବର୍ଷା ହୁଏ
-୨୦୨୫ ଅଗଷ୍ଟ ୫ ପୂର୍ବରୁ ଏକାଧିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି 
-୨୦୧୩ରେ କେଦାରନାଥ ଭୂସ୍ଖଳନ ଓ ବନ୍ୟା
-୨୦୨୧ ଋଷି ଗଙ୍ଗା ବନ୍ୟା ବେଶ୍‌ ଭୟାବହ ଥିଲା
-ଛୋଟବଡ଼ ଶତାଧିକ ଭୂସ୍ଖଳନ ଓ ବନ୍ୟା ଉତ୍ତରକାଶୀର ମେରୁଦଣ୍ଡକୁ ଭାଙ୍ଗିଛି

କିଛି ଦିନ ପୂର୍ବରୁ ଉତ୍ତରକାଶୀର ଧରାଲି ଗାଁରେ ତାଣ୍ଡବ ରଚିଥିଲା ପ୍ରକୃତିର । ଠିକ ସେଭଳି କିଛି ପ୍ରଳୟ ପୁଣି ଥରେ ଥରାଲିକୁ ଥରହର କରିଛି ।