କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ସ୍ଥିତ ରାମବନ ଧର୍ମକୁଣ୍ଡରେ ଭୟଙ୍କର ଦୃଶ୍ୟ । ଆଜି ସକାଳୁ ସକାଳୁ ଏଠାରେ ବାଦଲଫଟା ବର୍ଷା ହେଲା । ଚାହୁଁ ଚାହୁଁ ମାଡିଆସିଲା ବନ୍ୟା । କେହି କିଛି ବୁଝିବା ଆଗରୁ ଅନେକ ଘର ତାଡିନେଲା । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ଅନେକ ଲୋକ ଘରେ ଜଳବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି ।
କୁହାଯାଉଛି, ଏଠାରେ ବାଦଲଫଟା ବର୍ଷା ଲୋକଙ୍କ ପାଇଁ କାଳ ହେଲା । ଫଳରେ ଚେନାବ୍ କେନାଲରେ ବନ୍ୟା ପାଣି ମାଡି ଆସିବାରୁ ଧର୍ମକୁଣ୍ଡ ଗାଁକୁ ପାଣି ମାଡିଯାଇଥିଲା । ଫଳରେ ଲୋକେ ବାହାରି ସୁରକ୍ଷିତ ସ୍ଥାନକୁ ଯିବାକୁ ସମୟ ପାଇନଥିଲେ। ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଶହରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଅନେକ ଘର ଆଂଶିକ ଭାବେ ଭାଙ୍ଗିଯାଇଛି । ଆଗାମୀ ୨୪ ଘଣ୍ଟା ପାଇଁ ମଧ୍ୟ ଏହି ଇଲକାରେ ସତର୍କ ସୂଚନା ରହିଛି ।