କନକ ବ୍ୟୁରୋ: ଦିନକ ପରେ ପାର୍ବଣ ସପ୍ତାହ। ଛୁଟିରେ ନିଜ ନିଜ ଘରକୁ ଯିବେ ଲୋକେ। ହେଲେ ବସ୍ ଯଦି ନଚାଲିବ, ତାହେଲେ କେମିତି ଯିବେ, ତାକୁ ନେଇ ଚିନ୍ତାରେ ଯାତ୍ରୀ। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବସ୍ ମାଲିକ ସଂଘ। ସେପଟେ ଆସନ୍ତାକାଲି ବ୍ରହ୍ମପୁରରେ ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବସ୍ ମାଲିକ ସଂଘର ସହ ଆଲୋଚନା କରିବେ ପରିବହନ ମନ୍ତ୍ରୀ।
ଦଶହରା ବେଳେ ବନ୍ଦ ହୋଇପାରେ ଘରୋଇ ବସ୍। ଅକ୍ଟୋବର ୭ ତାରିଖ, ସନ୍ଧ୍ୟା ୭ଟାରୁ ୮ ତାରିଖ ସନ୍ଧ୍ୟା ଯାଏଁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଗଡ଼ିବନି ବସ୍। ଲକ୍ଷ୍ମୀ ବସକୁ ବ୍ଲକ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ୟ୍ୟନ୍ତ ଚଳାଚଳ ପାଇଁ ରାଜ୍ୟ ସରକାର ପୁଣିଥରେ ବିଜ୍ଞପ୍ତି ଜାରି କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଘରୋଇ ବସ୍ ମାଲିକ ସଂଘ। ସଂଘର କହିବା କଥା, ଲକ୍ଷ୍ମୀ ବସ୍ ଚାଲିବା ଦ୍ବାରା ଘରୋଇ ବସକୁ ବହୁତ କ୍ଷତି ହେବ। ସରକାର ଅନ୍ୟଏକ ସଂସ୍ଥାକୁ ସବସିଡି ଦେଇ ଲକ୍ଷ୍ମୀ ବସ୍ ଚଳାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଲକ୍ଷ୍ମୀ ବସ୍ ଦ୍ଵାରା କେବଳ ଘରୋଇ ବସ୍ କ୍ଷତି ସହୁନି ବରଂ ସରକାରୀ ବସ୍ ମଧ୍ୟ କ୍ଷତି ସହୁଛି। ସରକାର ବିଜ୍ଞପ୍ତି ଜାରି କରିବା ପୂର୍ବରୁ ସଂଘ ସହ ଆଲୋଚନା କରିନାହାନ୍ତି। ସେଥିପାଇଁ ବନ୍ଦ ଡାକରା ଦେଇଥିବା ଘରୋଇ ବସ୍ ସଂଘ କହିଛି।
ସେପଟେ ବ୍ରହ୍ମପୁରରେ ବନ୍ଦ ନେଇ ସେଭଳି କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ଯାତ୍ରୀ ଟିକେଟ୍ କାଉଣ୍ଟରରୁ ଟିକେଟ୍ କିଣୁଛନ୍ତି। ବସ୍ ସେବା ବନ୍ଦ ହେଲେ, ଯାତ୍ରୀଙ୍କୁ ସମସ୍ୟା ହେବ। ତେଣୁ ଟିକେଟ୍ ବିକ୍ରିରେ ବାଧା ହେବ ନାହିଁ ବୋଲି କହିଛନ୍ତି ଟିକେଟ୍ କାଉଣ୍ଟର କର୍ମଚାରୀ।
ଘରୋଇ ବସ୍ ମାଲିକ ସଂଘ ଅଭିଯୋଗ କରିଛନ୍ତି ଯେ ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା। ତେବେ ପୁଣି ଟାୟାର-ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଥିଲେ ବି ପୂର୍ବ ସରକାରଙ୍କ ଯୋଜନା ବଦଳିନଥିବା ସଂଘ ଅଭିଯୋଗ କରିଛି।