କନକ ବ୍ୟୁରୋ:  ଓଡିଶାକୁ ଅକ୍ଟୋବର ମାସ ପାଇଁ ଲା-ନିନା ବିପଦ । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ  ବାତ୍ୟା ହୋଇଥିବା ନଜିର ରହିଛି । ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ । ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଗଠିତ ହେଲେ ତାହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ଯୋଗୁଁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚୀନ ସାଗର ଅଂଚଳରେ ସୃଷ୍ଟି ବାତ୍ୟା ଗୁଡିକର ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରେ। ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।

Advertisment

ଖାସ୍‌ କରି ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗର ଅଂଚଳକୁ ପ୍ରବେଶ ଅବଶିଷ୍ଟ ଅଂଶ ଗୁଡିକ ମୁଖ୍ୟତଃ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିଥାଏ । ସାଧାରଣତଃ ଏହି ସମୟରେ ଆଣ୍ଡାମାନ ଅଂଚଳରେ ଉପସ୍ଥିତି ସ୍ଥଳଭାଗ ସହ ସାମୁଦ୍ରିକ ତରଙ୍ଗର ପ୍ରତିକ୍ରିୟା ଫଳରେ କିଛି ନିର୍ଦ୍ଦିଷ୍ଟ ସାମୁଦ୍ରିକ ଆଭ୍ୟନ୍ତରୀଣ ତରଙ୍ଗ ସୃଷ୍ଟି ହୋଇଥାଏ । ଏହା ଆଣ୍ଡାମାନ ଅଂଚଳର ପୃଷ୍ଠ ତାପମାତ୍ରାକୁ ୩୦ ଡିଗ୍ରୀ କିମ୍ବା ଅଧିକ ଧରି ରଖିବାରେ ସାହାଯ୍ୟ କରିଥାଏ । ଫଳରେ ଏହି ଅବଶିଷ୍ଟ ଅଂଶ ଗୁଡିକ ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ, ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଏବଂ ନିମ୍ନ ବାୟୁପ୍ରବାହ ତାରତମ୍ୟ ତଥା ଉଚ୍ଚ ସାମୁଦ୍ରିକ ପୃଷ୍ଟ ତାପମାତ୍ରା ସଂସ୍ପର୍ଶରେ ଆସି ଶକ୍ତିଶାଳୀ ହୋଇଉଠେ । ଏହି ପରିସ୍ଥିତି ଭାରତର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଏବଂ ବନ୍ୟା ସହିତ ପ୍ରଳୟଙ୍କରୀ ବାତ୍ୟା ସୃଷ୍ଟି କରିପାରେ। ଯାହାର ଉଦାହରଣ ୧୯୯୯ ମହାବାତ୍ୟା, ୨୦୦୯ରେ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜବାଦ। ସେହିପରି ମୌସୁମୀ ପୂର୍ବବାତ୍ୟା ଋତୁରେ ୨୦୧୯ରେ ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟଶ । ଆସନ୍ତା ମାସ ଅକ୍ଟୋବର ଥିବାରୁ ପୁଣି ଭୟ ବଢାଇଛି ଲା-ନିନା ।