କନକ ବ୍ୟୁରୋ: କେନ୍ଦୁଝରରେ ପରିବେଶ ପଞ୍ଚାୟତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବାଦ ଗ୍ରୁପ ପକ୍ଷରୁ ରାଜ୍ୟର ପ୍ରତିଟି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ପୁନଶ୍ଚ ପୃଥିବୀ କାର୍ୟ୍ୟକ୍ରମ ଶନିବାର କେନ୍ଦୁଝରରେ ଆୟୋଜିତ ହେଇଥିଲା । ଆଉ ଏହି କାର୍ୟ୍ୟକ୍ରମରେ କେନ୍ଦୁଝରର ବିଧାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକାଶର ଯାତ୍ରାରେ ପରିବେଶ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି । ପୁନଶ୍ଚ ପୃଥିବୀ ଆଉ ପରିବେଶ ପଞ୍ଚାୟତ ଏହି ଜନସଚେତନତା ସୃଷ୍ଟି କରିବ । ଏହାସହ ଏହି ଅଭିଯାନ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଉଦ୍ୟମ କରିବ । ତେବେ ସାରା ବିଶ୍ୱ ପାଇଁ ଏବେ ଜଳବାୟୁ ପରିବର୍ତ୍ତନ ଗମ୍ଭୀର ସଙ୍କଟ ହେଇ ଛିଡା ହେଇଛି । ବିଶ୍ୱର ପ୍ରାୟ ସମସ୍ତ ଦେଶ ପ୍ରଦୂଷଣକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି । ଆମ ଦେଶ ମଧ୍ୟ ଏବେ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଦିଗରେ ଅନ୍ୟ ଦେଶଙ୍କ ତୁଳନାରେ ଅଧିକ ଯୋଜନା ଓ ଏହାକୁ କାର୍ୟ୍ୟକାରୀ କରିବାକୁ ବହୁତ ବଡ ଭୂମିକା ନେଉଛି । ୨୦୭୦ ମସିହା ସୁଦ୍ଧା ନେଟ୍ ଜିରୋ ଏମିସନ୍ ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର । ସେଥିପାଇଁ ଖଣିଜ ଭିତ୍ତିକ ଶିଳ୍ପାୟନର ଦ୍ରୁତ ବିକାଶ ହେବା ଅବସମ୍ଭାବୀ । ହେଲେ ଏହାରି ଭିତରେ କିନ୍ତୁ ପ୍ରଦୂଷଣକୁ ଅନେକ କ୍ଷେତ୍ରରେ ରୋକାଯାଇପାରିବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି ଗଛଟିଏ ମାଆଙ୍କ ନାମରେ । ରାଜ୍ୟ ସରକାର ମଧ୍ୟ ଏଥିରେ ପଛରେ ପଡିନାହାଁନ୍ତି । ଏହି ଅଭିଯାନରେ ଚଳିତ ବର୍ଷ ଓଡିଶାରେ ୫ କୋଟି ଗଛ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ୪ କୋଟି ଗଛ ଲଗାଯାଇସାରିଲାଣି, ଆଉ ୧ କୋଟି ଗଛ ଲଗାଯିବାକୁ ଅଛି । ଖାଲି ସେତିକି ନୁହେଁ, ଓଡିଶାରେ ବଜ୍ରପାତ ରୋକିବାକୁ ତାଳ ଗଛ ଲଗାଇବାକୁ ଯୋଜନା ହେଇଛି । ଯାହା ଫଳରେ ତାଳଗଛ ପାଖରେ ଥିବା ଲୋକମାନେ ବଞ୍ଚିଯିବେ, ଆଉ ଜୀବନହାନୀ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ଶେଷରେ ପୁନଶ୍ଚ ପୃଥିବୀ ଅଭିଯାନ ପାଇଁ ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇ ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ ଯେ, ଅଗଷ୍ଟ ୯ ତାରିଖରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ବିଧାୟକ, ସ୍ଥାନୀୟ ଲୋକଙ୍କୁ ନେଇ ପରିବେଶ ପଞ୍ଚାୟତର ଆୟୋଜନ ହେଉଛି । ଆଜି ପର୍ୟ୍ୟନ୍ତ ୬୦ଟି ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ଆୟୋଜନ ହେଇସାରିଛି । ଆଉ ଆଜି ଏହି କ୍ରମରେ କେନ୍ଦୁଝରରେ ପରିବେଶ ପଞ୍ଚାୟତ ଆୟୋଜିତ ହେଇଛି ।
“ତେବେ ଆଜି ସମସ୍ତେ ସ୍ବୀକାର କରିବେ, ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ ଆହ୍ବାନ । ୨୦୩୬ରେ ଓଡିଶାକୁ ୧୦୦ ବର୍ଷ ପୂରିବ । ଓଡିଶାରେ ଅନେକ ସମ୍ଭାବନା ରହିଛି । ଆସନ୍ତା ଦଶନ୍ଧୀ, ଆସନ୍ତା ସମୟ ଓଡିଶାର ସମୟ, ଓଡିଶାର ବିକାଶର ସମୟ । ସାରା ବିଶ୍ୱ ପାଇଁ, ସାରା ଭାରତ ପାଇଁ ଓଡିଶା ଉଦାହରଣ ହେଇପାରିବ । ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା କିପରି ପହଞ୍ଚାଇପାରିବୁ । ପ୍ରଥମ ଥର ପାଇଁ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ପରିବେଶ ପଞ୍ଚାୟତ ଆମେ ଆୟୋଜନ କରୁଛୁ । ପରିବେଶ ସମ୍ପର୍କରେ ଆଲୋଚନା ହେଉଛି, ଲୋକଙ୍କଠୁ ପ୍ରତିକ୍ରିୟା ନେବା ସହ ତାଙ୍କ ପରାମର୍ଶ ମଧ୍ୟ ନେଉଛୁ”, କହିଛନ୍ତି ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ।
ଏହାସହ ସହ ଶେଷରେ ସେ କହିଥିଲେ ଯେ, ଓଡିଶା ପାଇଁ ଏକ କ୍ଲାଇମେଟ୍ ଆଟଲାସ୍ ଉନ୍ମୋଚନ ହେବ । ଆସନ୍ତା ୧୨ ବର୍ଷ ପାଇଁ ସମ୍ବାଦ ପରିବାର ଏହି ପୁନଶ୍ଚ ପୃଥିବୀ ଅଭିଯାନକୁ ହାତକୁ ନେଇଛି । ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ ସମ୍ପର୍କରେ ଆମେ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିବୁ ବୋଲି କହିଥିଲେ ତନୟା ପଟ୍ଟନାୟକ ।