କନକ ବ୍ୟୁରୋ: ବିଗୁଡ଼ୁଛି ଋତୁଚକ୍ର, ବଦଳୁଛି ପରିବେଶ । ଶ୍ବାସକ୍ରିୟାରେ ବିଷ ନେଉଛନ୍ତି ଲୋକ । ରଘୁନାଥପାଲୀରେ ବସିଲା ପରିବେଶ ପଞ୍ଚାୟତ । ବିଧାୟକ କହିଲେ, ଆଜିଠୁ ନିଅ ସଂକଳ୍ପ, ଅମ୍ଳଜାନ ସିଲିଣ୍ଡର୍ ଧରି ବୁଲିବାର ନଆସୁ ସମୟ...ବିଗିଡ଼ିଗଲାଣି ଋତୁଚକ୍ର । ଖରାଦିନେ ବର୍ଷା, ବର୍ଷାଦିନେ ଶୀତ ସମସ୍ତଙ୍କୁ ଅକଳରେ ପକାଉଛି । କେତେବେଳେ ମରୁଡ଼ି ତ କେତେବେଳେ ବନ୍ୟା ଲୋକଙ୍କୁ କଲବଲ କରୁଛି । ପରିବେଶ ଯେବେ ପ୍ରତିଶୋଧ ପରାୟଣ ହେଉଛି ସେତେବେଳେ କି ଗାଁ କି ସହର, ତା ଆଗରେ କେହି ବି ତିଷ୍ଠି ପାରୁନାହାନ୍ତି । ତେଣୁ ପରିବେଶକୁ ବଞ୍ଚାଇବାକୁ ହେଲେ ଆଜିଠୁ ସଚେତନ ହେବାକୁ ପଡ଼ିବ ବୋଲି ରଘୁନାଥପାଲୀରେ ବସିଥିବା ପରିବେଶ ପଞ୍ଚାୟତରେ ମତ ପ୍ରକାଶ ପାଇଛି ।
ମାଡ଼ିଆସୁଛି ବିପଦ !
ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ
ଜଳ, ସ୍ଥଳ, ଆକାଶ ସବୁ ପ୍ରଦୂଷିତ
କାନ୍ଧରେ ବୋହିବାକୁ ପଡ଼ିପାରେ ଅମ୍ଳଜାନ ସିଲିଣ୍ଡର
ଡରାଇଲାଣି ମଧୁର ଜଳ ହ୍ରାସ
ବଢ଼ୁଥିବା କଳକାରଖାନା, ଗାଡ଼ିମଟରରୁ ବାହାରୁଥିବା ଧୂଆଁ କେବଳ ଯେ ପରିବେଶକୁ ପ୍ରଦୂଷିତ କରୁଛି ତା ନୁହେଁ ବରଂ ଲୋକଙ୍କୁ କଲବଲ୍ କରିପକାଉଛି । ଅମ୍ଳଜାନ ବଦଳରେ ବିଷ ପ୍ରଶ୍ବାସରେ ନେବାକୁ ବସିଲେଣି ଲୋକ । ଏଭଳି ପରିସ୍ଥିତିକୁ ନେଇ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର ସେକ୍ଟର-୪ରେ ବସିଥିବା ପରିବେଶ ପଂଚାୟତରେ ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ ଦୁର୍ଗାଚରଣ ତନ୍ତୀ । ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେବା ସହ ଆଗାମୀ ପିଢ଼ି ପାଇଁ ଏବେଠୁ ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି ।
ପରିବେଶ ବଞ୍ଚାଇବା ନେଇ ସଂକଳ୍ପ ନେବା ସହ ଅମ୍ଳଜାନ ସିଲିଣ୍ଡର କାନ୍ଧରେ ଧରି ବୁଲିବାର ସମୟ ନ ଆସୁ ବୋଲି ମତ ରଖିଛନ୍ତି ବିଧାୟକ । ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ଦୈନିକ ୫୪୦ରୁ ୫୭୫ଲିଟର ଅମ୍ଳଜାନ ଆବଶ୍ୟକ ଏବଂ ଗୋଟିଏ ଗଛ ଦିନକୁ ୨୩୪ଲିଟର ଅମ୍ଳଜାନ ଦେଇଥାଏ । ତେଣୁ ସୁସ୍ଥ ଜୀବନଯାପନ ପାଇଁ ଗଛର ଆବଶ୍ୟକତା କେତେ ଏହିଥିରୁ ହିଁ ଆମକୁ ବୁଝିବାକୁ ହେବ ବୋଲି କହିଛନ୍ତି ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ।
ମଧୁର ଜଳ ହ୍ରାସକୁ ନେଇ ମଧ୍ୟ ପରିବେଶ ପଞ୍ଚାୟତରେ ଆଲୋଚନା ହୋଇଛି । ପୂର୍ବରୁ ଅଳ୍ପ ଖୋଳିଲେ ପିଇବା ପାଣି ବାହାରୁଥିଲା । ଏବେ ୩୦୦ଫୁଟ ତଳେ ବି ଜଳ ମିଳିବା କଷ୍ଟ ହୋଇପଡ଼ୁଛି । ବାୟୁମଣ୍ଡଳରୁ ବାହାରୁଥିବା ଉତ୍ତାପ ଯୋଗୁଁ ଅସମୟରେ ବର୍ଷା ଚାଷୀଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ଟାଣିଆଣୁଛି । ଏସବୁରୁ ବର୍ତ୍ତିବାକୁ ହେଲେ କାଲି ପାଇଁ ଆଜିଠୁ ସଚେତନ ହେବାକୁ ପଡ଼ିବ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ।
ସମ୍ବାଦର ଏହି ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ସଭିଏଁ l ଏକ ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ ପାଇଁ ବୃକ୍ଷର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ତେଣୁ ଗଛ ଲଗାଇବା ସହ ତାର ଉପଯୁକ୍ତ ଯତ୍ନ ନେବା ଉପରେ ଗୁରୁତ୍ବ ଦେଇଛନ୍ତି ଉପସ୍ଥିତ ଅତିଥି ।