କନକ ବ୍ୟୁରୋ : ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀ ଏକ ସାଧାରଣ ସମସ୍ୟା ଦେଇ ଗତି କରିଥା’ନ୍ତି ଯାହା ହେଉଛି ‘ଶୌଚାଳୟ’ । ଭାରତରେ ପବ୍ଲିକ୍ ଟଏଲେଟର ଅବସ୍ଥା କ’ଣ ତାହା ସମସ୍ତେ ଜାଣନ୍ତି କିନ୍ତୁ ବର୍ତ୍ତମାନ ଆପଣ ଯଦି କେଉଁ ଟୋଲ୍ ପ୍ଲାଜାରେ ଶୌଚାଳୟ ଅପରିଷ୍କାର ଥିବା ଦେଖନ୍ତି ଏବଂ ଅଭିଯୋଗ କରନ୍ତି ତା’ହେଲେ ଏଥିପାଇଁ ଆପଣଙ୍କୁ ୧୦୦୦ ଟଙ୍କାର ପୁରସ୍କାର ମିଳିବ । ଆଜ୍ଞା ହଁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି । ଏବେ ଯଦି ଆପଣ ଟୋଲ୍ ପ୍ଲାଜାରେ କୌଣସି ଶୌଚାଳୟ ଅପରିଷ୍କାର ଥିବା ଦେଖନ୍ତି ଏବଂ ତୁରନ୍ତ NHAIକୁ ରିପୋର୍ଟ କରନ୍ତି ତେବେ FASTag ରିଚାର୍ଜ ଆକାରରେ ୧,୦୦୦ ଟଙ୍କାର ପୁରସ୍କାର ମିଳିବ। ତେବେ ଏହି ଯୋଜନା ୩୧ ଅକ୍ଟୋବର ଠାରୁ ସାରା ଦେଶର ଜାତୀୟ ରାଜପଥରେ ଲାଗୁ ହୋଇ ସାରିଲାଣି । ତେବେ ଏନେଇ କେଉଁଠି ଏବଂ କେମିତି କରିବେ ଅଭିଯୋଗ , ଆସନ୍ତୁ ଜାଣିବା ।
ଏହି ଯୋଜନା ଅଧୀନରେ ରାଜପଥ ଯାତ୍ରୀମାନେ ରାଜମାର୍ଗଯାତ୍ରା ଆପ୍ର ନୂତନ ସଂସ୍କରଣ ବ୍ୟବହାର କରି ଅପରିଷ୍କାର ଶୌଚାଳୟର ଜିଓ-ଟ୍ୟାଗ୍ ଏବଂ ସମୟ-ଷ୍ଟାମ୍ପ ହୋଇଥିବା ଫଟୋ ଅପଲୋଡ୍ କରିପାରିବେ । ସେମାନଙ୍କୁ ସେମାନଙ୍କର ନାମ, ସ୍ଥାନ, ଯାନବାହନ ପଞ୍ଜିକରଣ ନମ୍ବର (VRN) ଏବଂ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡ଼ିବ । ଯାଞ୍ଚ୍ ପରେ ଯଦି ରିପୋର୍ଟ ସଠିକ୍ ବୋଲି ଜଣାପଡ଼େ, ତେବେ ଯାନବାହନ ନମ୍ବର ପାଇଁ ୧,୦୦୦ ଟଙ୍କାର FASTag ରିଚାର୍ଜ କରାଯିବ। ତେବେ ଏହି ଯୋଜନାର ଅବଧି ମଧ୍ୟରେ ପ୍ରତ୍ୟେକ ଯାନବାହନ ପଞ୍ଜିକରଣ ନମ୍ବର କେବଳ ଥରେ ପୁରସ୍କାର ପାଇବେ । ଏକାଧିକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ଗୋଟିଏ ଶୌଚାଳୟକୁ ଦିନକୁ କେବଳ ଥରେ ପୁରସ୍କାର ପାଇଁ ବିବେଚନା କରାଯିବ । ଯଦି ଏକାଧିକ ଲୋକ ଗୋଟିଏ ଦିନରେ ସମାନ ଶୌଚାଳୟରେ ରିପୋର୍ଟ କରନ୍ତି, ତେବେ କେବଳ ପ୍ରଥମ ସଠିକ୍ ରିପୋର୍ଟ ପାଇଥିବା ବ୍ୟକ୍ତି ପୁରସ୍କାର ପାଇବେ ।
NHAI କହିଛି ଯେ ଆପ୍ ମାଧ୍ୟମରେ ନିଆଯାଇଥିବା ସ୍ପଷ୍ଟ, ମୌଳିକ ଏବଂ ଜିଓ-ଟ୍ୟାଗ୍ ହୋଇଥିବା ଫଟୋଗୁଡ଼ିକ କେବଳ ବୈଧ ହେବ । ଡୁପ୍ଲିକେଟ୍, ପୁରୁଣା କିମ୍ବା ସମ୍ପାଦିତ ଫଟୋଗୁଡ଼ିକ ଗ୍ରହଣ କରାଯିବ ନାହିଁ । ଏହି ସମସ୍ତ ଡାଟା AI ଏବଂ ମାନୁଆଲ୍ ଯାଞ୍ଚ୍ ବ୍ୟବହାର କରି ଯାଞ୍ଚ୍ କରାଯିବ ଯାହା ଦ୍ୱାରା ଯେଉଁମାନେ ସଠିକ୍ ରିପୋର୍ଟ ଦାଖଲ କରିବେ ସେମାନେ ହିଁ ପୁରସ୍କାର ପାଇବେ । ଏହି ଯୋଜନା କେବଳ NHAI ଦ୍ୱାରା ନିର୍ମିତ, ପରିଚାଳିତ କିମ୍ବା ରକ୍ଷଣାବେକ୍ଷଣ ହୋଇଥିବା ଶୌଚାଳୟ ପାଇଁ ପ୍ରଯୁଜ୍ୟ ହେବ । ପେଟ୍ରୋଲ ପମ୍ପ, ଢାବା କିମ୍ବା ଅନ୍ୟାନ୍ୟ ଘରୋଇ ସାର୍ବଜନୀନ ସ୍ଥାନରେ ଥିବା ଶୌଚାଳୟଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ।