କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟିହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ସକ୍ରିୟ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଘନୀଭୂତ ହୋଇ ଉତ୍ତର ଆଡ଼କୁ ଗତିକରିବ । ଏହା ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି , ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । 

Advertisment

ଆଜି ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଅନ୍ୟ ୨୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ, ଚଳିତ ଥର ଓଡ଼ିଶାକୁ ମୌସୁମୀ ସଅଳ ଛୁଇଁବ । କାଲି ସୁଦ୍ଧ‌ା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ମୌସୁମୀ ସଅଳ ଆସିଥିବାରୁ ଦେଶରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଫଳରେ ଦେଶରେ ସର୍ବୋଚ୍ଚ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।