ପ୍ରତିଟି ଘରର କେନ୍ଦ୍ରବିନ୍ଦୁ ହେଉଛି ହାଣ୍ଡିଶାଳ ବା ରୋଶେଇଘର । ସ୍ୱାସ୍ଥ୍ୟ ପ୍ରତି ହିତକର ଏବଂ ପାଟିକୁ ସୁସ୍ୱାଦୁ ଖାଇବା ହେଇଗଲେ ଆଉ କ’ଣ ଦରକାର । ହେଲେ ଏହି ରୋଷେଇଘର ଯଦି ରୋଗର ଦୋକାନ ପାଲଟେ କ’ଣ କରିବେ? କଥାଟି ଶୁଣି ମୁଣ୍ଡରେ ଚିନ୍ତା ପଶିଗଲା ନା? ରୋଷେଇ ପରେ ବାସନ ସଫା କରିବା ପାଇଁ ପ୍ରାୟ ପ୍ରତ୍ୟେକ ଘରେ ସ୍ପଞ୍ଜର ବ୍ୟବହାର ହୋଇଥାଏ । ହାତକୁ କଅଁଳିଆ ଲାଗୁଥିଲେ ହେଁ ଏହା ସ୍ୱାସ୍ଥ୍ୟ ପକ୍ଷେ କେତେ ଅହିତକର ଜାଣିଛନ୍ତି କି? ଆପଣ ଭାବୁଥିବେ ବାସନ ସଫା ହେଉଛି କିନ୍ତୁ ଅଜାଣତରେ ବ୍ୟାକ୍ଟେରିଆ ଜନ୍ମ ନେଉଥିବେ । ଯାହା ଆପଣଙ୍କ ଶରୀରକୁ ରୋଗ ନିମନ୍ତ୍ରଣ କରିବା ପାଇଁ ଯଥେଷ୍ଟ । ଅନ୍ତଃନଳୀ ପାଇଁ ବିପଦ ହେଉଛି ଏଭଳି ଅପରିଷ୍କାର ସ୍ପଞ୍ଜ । 

Advertisment

Kitchen
ଆପଣଙ୍କୁ ଏଠାରେ କହିରଖୁଛୁ କି କୌଣସି ତରଳ ପଦାର୍ଥକୁ ଶୁଖାଇବା ପାଇଁ ସ୍ପଞ୍ଜର ବ୍ୟବହାର କରାଯାଏ । ଏହି ସ୍ପଞ୍ଜ ସେଲୁଲୋଜ୍ , ୟୁରେଥେନ୍ ଏବଂ ଫୋମ୍ ରୁ ତିଆରି ହୋଇଥାଏ ଯାହା ତରଳ ପଦାର୍ଥକୁ ଶୀଘ୍ର ଅବଶୋଷିତ କରିଥାଏ । ଅନେକ ସମୟରେ ସ୍କ୍ରବିଂର ସୁବିଧା ପାଇଁ ସିନ୍ଥେଟିକ୍ ସ୍ପଞ୍ଜର ବ୍ୟବହାର ମଧ୍ୟ କରାଯାଏ । ବ୍ୟବହାର ପରେ ଏହି ସ୍ପଞ୍ଜକୁ ଗୋଟିଏ କୋଣରେ ରଖିଦିଆଯାଏ ସେଇଠୁ ଆରମ୍ଭ ହୁଏ ବ୍ୟାକ୍ଟେରିଆ ଜନ୍ମ ନେବାର ପ୍ରକ୍ରିୟା । ସେହି ସ୍ପଞ୍ଜରେ ଲାଗିଥିବା ଖାଦ୍ୟ ବ୍ୟାକ୍ଟେରିଆ ଜନ୍ମ ଦିଏ । ପୁନଶ୍ଚ ଏହି ସ୍ପଞ୍ଜରେ ବାସନ ମାଜିଲେ ଉକ୍ତ ବ୍ୟାକ୍ଟେରିଆ ସେହି ବାସନରେ ଲାଗିଯାଆନ୍ତି । ଯଦି ସେଠାରେ କିଛି ଖାଦ୍ୟପଦାର୍ଥ ଥିବ ବ୍ୟାକ୍ଟେରିଆ ସେଥିରେ ମଧ୍ୟ ଆଧିପତ୍ୟ ଜମାନ୍ତି ଏବଂ ଖାଦ୍ୟ ମାଧ୍ୟମରେ ଅନ୍ତଃନଳୀରେ ସଂକ୍ରମଣର ମାତ୍ରା ବଢ଼େ । 

ଦୂଷିତ ଭୋଜନରେ ଏଣ୍ଟ୍ରୋବେକ୍ଟର କ୍ଲୋଅକେ, ପାଣିରେ ସାଲ୍ମୋନେଲା , ମାଂସରେ କେମ୍ପିଲୋବେକ୍ଟର , ଧୂଳି ଏବଂ ଅପରିଷ୍କାର ସ୍ଥାନରେ ଏସିନେଟୋବେକ୍ଟର ଏବଂ ଦାଗରେ ଏଶ୍ଚୋରିଚିୟା କୋଲି ରହିବା ସାଧାରଣ କଥା । ଏସବୁ ବ୍ୟାକ୍ଟେରିଆ ବାସନମଜା ସ୍ପଞ୍ଜରେ ସହଜରେ ବ୍ୟାପେ ଏବଂ ଶରୀରରେ ବ୍ୟାକ୍ଟେରିଆ ଜନ୍ମାଏ । ଅପରିଷ୍କାର ସ୍ପଞ୍ଜର ବାରମ୍ବାର ବ୍ୟବହାର ଏବଂ ଅଧିକ ଦିନ ଧରି ଗୋଟିଏ ସ୍ପଞ୍ଜକୁ ବ୍ୟବହାର କଲେ ଏଭଳି ସମସ୍ୟା ଉପୁଜେ । ଶୁଖିଲା ଦେଖି ଭାବିବେ ନାହିଁ ବ୍ୟାକ୍ଟେରିଆ ନାହିଁ ବୋଲି , ଶୁଖିଲେ ମଧ୍ୟ ବ୍ୟାକ୍ଟେରିଆ ସଂକ୍ରମଣର ଧାରା ସେମିତି ଚାଲିଥିବ । ସେଥିପାଇଁ ବାସନ ସଫା ବେଳେ ଯେଉଁ ସ୍ପଞ୍ଜ ବ୍ୟବହାର କରୁଛନ୍ତି ତାହା ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ । ବିଶେଷଜ୍ଞମାନେ ପ୍ରତି ୧ ରୁ ୨ ସପ୍ତାହ ଭିତରେ ସ୍ପଞ୍ଜ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଅନ୍ତି । ମାଂସ ତଥା ଜୁସ୍ କୁ ସଫା କରିବା ପାଇଁ ଡିସପୋଜେବଲ୍ ୱାଇପ୍ସର ବ୍ୟବହାର କରିବା ସର୍ବୋତ୍ତମ । ବାସନ ମଜା ସରିବା ପରେ ହାତକୁ ପୁଣିଥରେ ଭଲ ଭାବରେ ଧୁଅନ୍ତୁ ତା’ପରେ ଅନ୍ୟକାମ କରନ୍ତୁ । ନହେଲେ ବ୍ୟାକ୍ଟେରିଆ କେବଳ ସ୍ପଞ୍ଜ ଜରିଆରେ ନୁହଁ ଆପଣଙ୍କ ହାତ ଯୋଗୁଁ ମଧ୍ୟ ବ୍ୟାପିବାର ବିପଦ ରହିଥାଏ ।