କନକ ବ୍ୟୁରୋ : ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ । ମିଳୁନି ଦରମା, ମିଳୁନି ସୁବିଧା । ଯାହାକୁ କହିଲେ କେହି ଶୁଣୁନାହାନ୍ତି । କୌଣସି ଉପାୟ ନପାଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ଆନ୍ଦୋଳନକାରୀ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ସେବାବିହୀନ ।
ଡାକ୍ତରଖାନାକୁ ସଫା ରଖୁଥିବା କର୍ମଚାରୀଙ୍କୁ ମିଳୁନି ଦରମା । ୪ ମାସ ହେଲାଣି ପାଉଣା ଦେଉନି ସଫେଇ ଦାୟିତ୍ୱରେ ଥିବା ଠିକା ସଂସ୍ଥା । ଏଭଳି ଅଭିଯୋଗ ନେଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମଚାରୀ, ସିକ୍ୟୁରିଟି ଗାର୍ଡ, ମେସିନ ଅପରେଟର, ଅକ୍ସିଜେନ ଅପରେଟର । ଠିକା ସଂସ୍ଥା ଏଲ୍ ଆଣ୍ଡ୍ କେ ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ । ଚାକିରି ଦେବା ପାଇଁ କାହା ଠାରୁ ୫୦ ହଜାର ତ ଆଉ କାହାଠାରୁ ୬୦ ହଜାର ଟଙ୍କା ନେଇଛି ଏହି ସଂସ୍ଥା ।
ସ୍ୱାସ୍ଥ୍ୟ ସେବାରେ ରେକର୍ଡ ସୃଷ୍ଟି କରିଛି ଜୟପୁର ମେଡିକାଲ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଠାରୁ ଅଧିକା ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି । ଏଠାରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ଅଭାବ ଲାଗି ରହିଛି । ଭିତ୍ତିଭୂମି ସୁଧାରିବା ପାଇଁ ପ୍ରତିବର୍ଷ ବୈଠକ ବସୁଛି । ଅଧିକାରୀ, ନେତା ବି ଆସୁଛନ୍ତି । କିନ୍ତୁ ଅବସ୍ଥା ସୁଧୁରୁନି । କେବଳ ପ୍ରତିଶ୍ରୁତି ମିଳୁଛି, କାମ ହେଉନି ବୋଲି କହିଛନ୍ତି ଅଧିକାରୀ । ଅଭାବୀ ଡାକ୍ତର ସାଙ୍ଗକୁ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅବ୍ୟବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।