କନକବ୍ୟୁରୋ : ମଣିଷ ଭଳି ଅବିକଳ ମାଟିର ମୂର୍ତୀ ଗଢ଼ିବାରେ ନିମଗ୍ନ ଶିଳ୍ପୀ । ମୁହଁ, ନାକ, ପାଟି, ଆଖି । ତା ସହ ସାର୍ଟର ପକେଟ ଆଉ ବଟମ, ସବୁକିଛି ନିଖୁଣ ଆଉ ଜୀବନ୍ତ ଭଳି ଲାଗିଥାଏ । କେବଳ ମଣିଷ ମୂର୍ତୀ ନୁହେଁ । ବିଭିନ୍ନ ଦେବାଦେବୀ ଓ ପଶୁ ପକ୍ଷୀଙ୍କ ମୂର୍ତୀ ନିର୍ମାଣ ସହ ବିଭିନ୍ନ ମହାପୁରୁଷଙ୍କ ଅବିକଳ ପ୍ରତିମୂର୍ତ୍ତି ଆଙ୍କିଛନ୍ତି କଳାକାର ।
ମୂର୍ତୀ କାରିଗରୀର ଏହି ସ୍ୱତନ୍ତ୍ର ଦକ୍ଷତା ପାଇଁ ଆଜି ସାରା ଦେଶରେ ସେ ଜଣେ ଆଦୃତ ବିଶ୍ୱକର୍ମା । ବିଭିନ୍ନ ରାଜ୍ୟରେ ସ୍ଥାପିତ ହୋଇଛି ତାଙ୍କର ଏକାଧିକ କଳାକୃତି । ଖାଲି ସେତିକି ନୁହେଁ, ବିଭିନ୍ନ ପଟଚିତ୍ର ଅଙ୍କନ ଆଉ ୱାଲ ପେଟିଂ ଇତ୍ୟାଦିରେ ମଧ୍ୟ ତାଙ୍କର ରହିଛି ସ୍ୱତନ୍ତ୍ର ଦକ୍ଷତା । ବାପା ଜେଜେ ବାପାଙ୍କ ଠାରୁ ଶିଖିଥିବା କୌଳିକ ବୃତିର ଏହି କଳାକୁ ବେଶ ହାତେଇ ପାରିଛନ୍ତି ନୟାଗଡ ଜିଲ୍ଲା ଇଟାମାଟିର ହରିବନ୍ଧୁ ଦାସ ।
ପିଲାଦିନୁ ଏହି ବୃତିକୁ ଆପଣାଇ ଥିବା ହରିବନ୍ଧୁ ବ୍ୟବସାୟିକ କ୍ଷତି ଯୋଗୁଁ ମଝିରେ ଏଥିରୁ ମନ ଫେରାଇ ନେଇଥିଲେ । ଗତ ୨୦୦୦ ମସିହା ପରଠାରୁ ପୁଣି ଥରେ ଏହି ବୃତିରେ ମନୋନିବେଶ କରିଛନ୍ତି । ଇଟାମାଟି ନିକଟରେ ଖୋଲିଛନ୍ତି ନିଜର ପ୍ରତିଷ୍ଠାନ ।
ନିୟୋଜିତ ହୋଇଛନ୍ତି ୭ ଜଣ କର୍ମଚାରୀ । ମାଟିର ମୂର୍ତୀ ନିର୍ମାଣ ପରେ ତାକୁ ଛାଂଚରେ ପକାଇ ଦିଆଯାଉଛି ବ୍ରୋଞ୍ଜର ରୂପ । ବରାଦ ହେଉ କିମ୍ବା ପୂର୍ବ ପ୍ରସ୍ତୁତ, ତାଙ୍କ ମୂର୍ତୀର ରହିଛି ବେଶ ଚାହିଦା ।
ହିରିବନ୍ଧୁଙ୍କୁ ଏହି କାମରେ ତାଙ୍କ ପତ୍ନୀ ପୂର୍ଣ୍ଣ ସହଯୋଗ କରିନ୍ତି । କେବଳ କଳାକାର ଭତା ଛଡା କୌଣସି ସରକାରୀ ସହାୟତା ତାଙ୍କ ନିକଟରେ ପହଂଚି ପାରିନାହିଁ । ତେଣୁ ସରକାରୀ ସହାୟତା ମିଳିଲେ ତାଙ୍କ କାରୀଗରୀ ଆହୁରି ଆଗକୁ ବଢିପାରନ୍ତା ।