କନକ ବ୍ୟୁରୋ : ଗୁରୁ ଦିବସରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ । କେନ୍ଦ୍ରାପଡ଼ା ରାଜନଗରର ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ବିଦ୍ୟାପୀଠରେ ଶିକ୍ଷକ ନାହାନ୍ତି । ଫଳରେ ୭୮ଦିନ ହେଲାଣି ପାଠପଢ଼ା ବନ୍ଦ ହୋଇଯାଇଛି । ଚଳିତ ବର୍ଷ ଶତବାର୍ଷିକ ପାଳନ କରିବାକୁ ଥିବା ବେଳେ ଶିକ୍ଷକ ଅଭାବ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଖୁବ ଶୀଘ୍ର ୪୪ ହଜାର ଶିକ୍ଷକ ନିଯୁକ୍ତ କରାଯିବ ।

Advertisment

ଗୋଟିଏ ପଟେ ରାଜ୍ୟର ପ୍ରାୟ ସବୁ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ ହେଉଛି । ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ବ୍ଲକର ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ବିଦ୍ୟାପୀଠରେ ଗୁରୁ ନଥିବାରୁ ତାଲା ଝୁଲୁଛି । ସ୍କୁଲରେ ନିଯୁକ୍ତ ଦୁଇ ଜଣ ପଣ୍ଡିତ ଅବସର ନେଇଛନ୍ତି ଓ ଅନ୍ୟ ପଣ୍ଡିତଙ୍କୁ ଡେପୁଟେସନରେ କେନ୍ଦ୍ରାପଡ଼ା ବ୍ଲକରେ ଥିବା ସଂସୃତ ବିଦ୍ୟାପୀଠକୁ ପଠାଯାଇଛି । ମେ ୩୧ ପରଠୁ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଥିଲା । ଖରାଛୁଟି ପରେ ଶିକ୍ଷକ ନଥିବାରୁ ପିଲା ପଢ଼ିବାକୁ ଆସୁନାହାନ୍ତି । ୧୯୨୬ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାପୀଠରେ ଶିକ୍ଷକ ନଥିବାରୁ ୭ ଦିନ ହେଲା ତାଲା ଝୁଲିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

ସ୍କୁଲରେ ଶିକ୍ଷକ ଅଭାବ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି, ଶିକ୍ଷକ ଅଭାବ ଥିବା ମୋହନ ମାଝୀ ସରକାର ଅନୁଭବ କରିଛନ୍ତି । ଆଗାମୀ ଦିନରେ ୪୪ହଜାର ଶିକ୍ଷକ ନିଯୁକ୍ତି ଦିଆଯିବ । ଯେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ସେଠି ଶିକ୍ଷକ ଦିଆଯିବ । ଖୁବଶୀଘ୍ର ଖାଲିଥିବା ଶିକ୍ଷକ ପଦବୀ ପୂରଣ କରାଯିବ ।

ରାଜ୍ୟରେ ଏମିତି ବି ବିଦ୍ୟାଳୟ ଅଛି ଯେଉଁଠି ଶିକ୍ଷକ ଅଭାବରୁ ଅଢ଼େଇ ମାସ ସ୍କୁଲରେ ତାଲା ଝୁଲୁଛି । ଏଭଳି ଖବର ଶିକ୍ଷା ବିଭାଗର ଅବ୍ୟବସ୍ଥାକୁ ପଦାରେ ପକାଇଛି । ବଦଳିରେ ମାତିଥିବା ବିଭାଗର ନିର୍ଦ୍ଦେଶକ ଓ ସଚିବ କଣ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି ।