କନକ ବ୍ୟୁରୋ: ପ୍ରବାସୀ ଭାରତୀୟଙ୍କ ବିରୋଧରେ ତାତିଲେ ଅଷ୍ଟ୍ରେଲିଆର ଲୋକେ । ସିଡନୀ ଓ ମେଲବୋର୍ଣ୍ଣ ପରି ପ୍ରମୁଖ ସହରରେ ‘ମାର୍ଚ୍ଚ ଫର ଅଷ୍ଟ୍ରେଲିଆ’ ବ୍ୟାନରରେ ହଜାର ହଜାର ଲୋକ ପ୍ରବାସୀ ବିରୋଧୀ ବିକ୍ଷୋଭରେ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟତଃ ଭାରତୀୟ ପ୍ରବାସୀଙ୍କୁ ବିରୋଧ କରି ଏଭଳି ବିକ୍ଷୋଭ ହୋଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ଅସ୍ଥିରତା ଦେଖିବାକୁ ମିଳିଛି ।  ଅଷ୍ଟ୍ରେଲିଆ ସରକାର ଏଭଳି ବିକ୍ଷୋଭକୁ ‘ନିଓ-ନାଜି’ ଗୋଷ୍ଠୀର ଷଡ଼୍‌ଯନ୍ତ୍ର ଓ ଘୃଣା ପ୍ରସାରଣର ମାଧ୍ୟମ କହି ନିନ୍ଦା କରିଛି । ବିକ୍ଷୋଭକାରୀମାନେ ଭାରତୀୟ ପ୍ରବାସୀଙ୍କୁ ଟାର୍ଗେଟ କରି ସ୍ଲୋଗାନ୍‌ ଦେବାସହ ବ୍ୟାନର, ପୋଷ୍ଟର ପ୍ରଦର୍ଶନ କରିଛନ୍ତି । ଦେଶର ଜନସଂଖ୍ୟାର ୩%ରୁ ଅଧିକ ଭାରତୀୟ ଥିବାରୁ ଏହାକୁ ନେଇ ଆନ୍ଦୋଳନକାରୀମାନେ ଘୃଣା ମନ୍ତବ୍ୟ ଦେଇଛନ୍ତି । ୨୦୧୩ରୁ ୨୦୨୩ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୮ ଲକ୍ଷ ୪୫ ହଜାର ୮୦୦ରେ ପହଞ୍ଚିଛି ।

Advertisment

ଆନ୍ଦୋଳନକାରୀ ପ୍ରଚାର ପୋଷ୍ଟରରେ ଦାବି କରାଯାଇଛି ଯେ ଭାରତୀୟଙ୍କ ସଂଖ୍ୟାବୃଦ୍ଧି ଅଷ୍ଟ୍ରେଲିଆର କୌଣସି  ସାଂସ୍କୃତିକ ପରିବର୍ତ୍ତନ ନୁହେଁ । ଏଭଳି ସମ୍ପୂର୍ଣ୍ଣ କାୟାବିସ୍ତାର ଦେଶର ମୂଳ ନାଗରିକଙ୍କ ପାଇଁ ବିପଦ । ଦେଶର ଶ୍ରମ ମନ୍ତ୍ରୀ ମୁରେ ବାଟ୍‌ କହିଛନ୍ତି, ‘ଆମେ ଘୃଣା ଓ ବିଭାଜନ ସୃଷ୍ଟି କରୁଥିବା ବିକ୍ଷୋଭକୁ ସମର୍ଥନ କରୁନାହୁଁ ।’ ‘ଅଷ୍ଟ୍ରେଲିଆ କାଉନସିଲ ଅଫ୍‌ ସୋସିଆଲ ସର୍ଭିସ’ ଜାତିବାଦ ଓ ଧର୍ମାନ୍ଧତାକୁ ପ୍ରତ୍ୟାଖ୍ୟାନ କରି ଦେଶର ବିବିଧତାକୁ ଶକ୍ତି ଭାବେ ଉଲ୍ଲେଖ କରିଛି ।