କନକ ବ୍ୟୁରୋ :  ବର୍ଷ ବର୍ଷ ଧରି ରହି ଆସୁଥିବା ବସ୍ତିବାସିନ୍ଦା ଓ ପ୍ରଶାସନର ଲଢ଼େଇ ଯୋଗୁଁ ରାଉରକେଲାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ସ୍ଥାନୀୟ ଲୋକଙ୍କ ବିରୋଧକୁ ପ୍ରଶାସନର ଅଣଦେଖା ଯୋଗୁଁ ପୋଲିସ ଓ ବସ୍ତିବାସନ୍ଦାଙ୍କ ମଧ୍ୟରେ ଆଜି ରକ୍ତାକ୍ତ ସଂଘର୍ଷର ରୂପ ନେଇଛି । ଜଣେ ବସ୍ତି ବାସିନ୍ଦା ଜୀବନ ଯାଇଥିବାବେଳେ ଉଭୟ ପକ୍ଷର ବହୁ ଲୋକ ଆହତ ହୋଇଛନ୍ତି । 

Advertisment

ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନୀରେ ସୃଷ୍ଟି ହୋଇଛି ଏଭଳି ଭୟଙ୍କର ସ୍ଥିତି । ଡମେର୍ତ୍ତା ବରକାନୀରେ ଆରଏସପିକୁ ନିର୍ମାଣ କରାଯାଉଥିବା ରେଳଲାଇନକୁ ନେଇ ବସ୍ତି ବାସିନ୍ଦା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ବିସ୍ଥାପିତ ପରିବାର ଓ ଏବଂ ପୋଲିସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ନିର୍ମାଣ କାର୍ଯ୍ୟରେ  ନିୟୋଜିତ ଥିବା ଜେସିବି ଧକ୍କାରେ ବରକାନିର ଏତୋ ଏକ୍କା  ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ବସ୍ତି ବାସିନ୍ଦାଙ୍କ ଢ଼େଲା ଓ ତୀର ମାଡରେ ଅତିରିକ୍ତ ତହସିଲଦାରଙ୍କ ସମେତ ୬ ପୁଲିସ ଗୁରୁତର ଆହତ ହୋଇଛନ୍ତି ।  

ଖଣ୍ଡଯୁଦ୍ଧ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ମୃତ ଯୁବକଙ୍କ ଶବକୁ ରଖି ପ୍ରତିବାଦ କରିଛନ୍ତି ବରକାନୀ ବାସିନ୍ଦା । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରାଯାଉଛି । ଅନ୍ୟପଟେ ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି । 

୨୦୦୬ରୁ ବିସ୍ଥାପିତ ଲୋକମାନଙ୍କୁ ଉଚିତ୍ ଥଇଥାନ ନ କରି ପ୍ରଶାସନ ଓ ପୋଲିସ ଲଗାଇ ଜମି ହଡ଼ପ କରୁଥିବା ଅଭିଯୋଗ କରି ଆସୁଛନ୍ତି ଡୁମେରତା , ବରକାନି ଓ ବାହାଗଡ ଗ୍ରାମର ଗ୍ରାମବାସୀ । ଏବେ ପୁଣି ଥରେ ରେଳଲାଇନ ନିର୍ମାଣ ଆରମ୍ଭ ହେବାରୁ ଏହାକୁ ବିରୋଧ କରି ପ୍ରାୟ ଦେଢ଼ ମାସ ହେଲା ସେଠାରେ ପ୍ରତିବାଦ ଚାଲିଛି ।  ସ୍ଥାନୀୟ ଲୋକଙ୍କ ବିରୋଧ ଭିତରେ ପୋଲିସ୍ ପ୍ରଶାସନ ପକ୍ଷରୁ ଆଠ ପ୍ଳାଟୁନ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ପୁଣି ନିର୍ମାଣ କାର୍ଯ୍ୟ  ଆରମ୍ଭ ହୋଇଥିଲା । ସେହି ସମୟରେ ହୋଇଛି ଖଣ୍ଡଯୁଦ୍ଧ ।