କନକ ବ୍ୟୁରୋ: ସରକାରୀ ଜାଗା ଆବଣ୍ଟନ ଲାଗି ପଡ଼ୁଛି ଧର୍ମଗୁଳା । ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ଭାଇରାଲ୍ ହେବା ପରେ ବିଏମ୍‌ସିରେ ହୁଲସ୍ତୁଲ । ଏପଟେ ଧର୍ମଗୁଳା ପକାଉଥିବା ବ୍ୟକ୍ତିମାନେ ସାମନାକୁ ଆସି ମୁହଁ ଖୋଲିଛନ୍ତି । 
Advertisment
ସରକାରୀ ଜାଗା ବଣ୍ଟନକୁ ନେଇ ଚାଲିଛି ଘନଘନ ବୈଠକ, ପଡ଼ୁଛି ଧର୍ମଗୁଳା । ଧର୍ମଗୁଳା ଅନୁଯାୟୀ ମିଳିବ ଜାଗା । ସୋସିଆଲ ମିଡିଆରେ ଘୂରି ବୁଲୁଛି ଏଭଳି ଏକ ଘଟଣାର ଭିଡିଓକୁ ନେଇ ଏବେ ଉଠୁଛି ପଡୁଛି ଭୁବନେଶ୍ୱର ମହାନଗର ନିଗମ । କୁହାଯାଉଛି ଭିଡିଓଟି ପଟିଆ ଅଞ୍ଚଳର । ଜାଗା ଆବଣ୍ଟନ ପାଇଁ ଦୋକାନୀମାନଙ୍କୁ ଟଙ୍କା ଦେବାକୁ ପଡୁଛି ବୋଲି ଚର୍ଚ୍ଚା ହେଉଥିଲା । ଏବେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତିମାନେ ମୁହଁ ଖୋଲିଛନ୍ତି । 
ବ୍ୟବସାୟୀମାନେ ପୂର୍ବରୁ ଯେଉଁ ସ୍ଥାନରେ ଦୋକାନ କରିଥିଲେ ସେଠାରୁ ଉଚ୍ଛେଦ କରାଯାଇଛି । ନୂଆ ଜାଗାରେ ବ୍ୟବସାୟ ପାଇଁ ସଭିଏଁ ଚିନ୍ତା କରିଥିବା ବେଳେ ଜାଗା ଆବଣ୍ଟନକୁ ନେଇ ବଢିଥିଲା ଦ୍ୱନ୍ଦ୍ୱ । ଭେଣ୍ଡିଂଜୋନ୍‌ ମହାସଂଘ ଧର୍ମଗୁଳା କରି ସମସ୍ୟାର ସମାଧାନ କରୁଥିଲା ବୋଲି ସ୍ପଷ୍ଟୀକରଣ ଦେଇଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରିଛି ବିଏମ୍‌ସି । ଭାଇରାଲ ଭିଡିଓରେ ଥିବା ବ୍ୟକ୍ତିଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ବି କରିଛି । ଧର୍ମଗୁଳା ଆଳରେ ସରକାରୀ ଜମି ବିକ୍ରି ପାଇଁ ଟଙ୍କା କାରବାର ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଭାଇରାଲ ଭିଡିଓରେ ଟଙ୍କା କାରବାର ନେଇ କୌଣସି ତଥ୍ୟ ନଥିଲେ ବି ତଦନ୍ତ ହେଲେ ସବୁ ସତ ସାମନାକୁ ଆସିଯିବ ବୋଲି କୁହାଯାଉଛି ।