କନକ ବ୍ୟୁରୋ;  ଶୂନଶାନ ଅଫିସ, ଚେୟାର ଖାଲି,  କାମ ଛାଡି ଆନ୍ଦୋଳନରେ ଅମଲା କର୍ମଚାରୀ । ଦୁଇଦିନ ହେଲା  ଆନ୍ଦୋଳନରେ ଅମଲା ସଂଘ । ଫଳରେ ବିଭିନ୍ନ ବ୍ଲକ ତହସିଲ ଅଫିସରେ କାର୍ଯ୍ୟ ଠପ୍ ହୋଇଯାଇଛି ।   ଖୋର୍ଦ୍ଧା, ଅସ୍ତରଙ୍ଗ, ସମ୍ବଲପୁର, ଭଦ୍ରକ, ରାଉରକେଲା, କଟକ  ସବୁଠାରେ ସେହି ଏକା ସ୍ଥିତି । କର୍ମଚାରୀ ସମୂହ ଛୁଟି ନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିବା ଫଳରେ ସରକାରୀ କାର୍ଯ୍ୟାଳୟରେ କାମ ଏକପ୍ରକାର ଠପ୍‌ ହୋଇଛି । ୧୦ଟି ଦାବି ନେଇ ଅମଲା ସଂଘ ଏହି ଆନ୍ଦୋଳନ କରିଛି । ଏଗୁଡିକ ମଧ୍ୟରେ ପ୍ରମୁଖ ରହିଛି  ଦରମା ବୃଦ୍ଧି, କ୍ୟାଡର ପୁନର୍ଗଠନ, ଜିଲାସ୍ତରୀୟ ରାଜସ୍ଵ ଅମଲାଙ୍କୁ ଠିକ୍ ଭାବେ ପଦୋନ୍ନତି । 

ରାଜେଶ କେରକେଟା । ଗୋଡ ଭଲ ନାହିଁ। ଚାଲିବା ପାଇଁ ବାଡି ସାହାରା । ୨୦ କିଲୋମିଟର ଦୂରରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କାମରେ ଆସିଥିଲେ । ହେଲେ କାମ ହେଲା ନାହିଁ, ନିରାଶ ହୋଇ ଫେରୁଛନ୍ତି । ଅଳ୍ପ ବହୁତେ ପ୍ରାୟ ସବୁ ଜିଲ୍ଲାରେ ସେହି ଏକା ପରିସ୍ଥିତି । ସମୂହ ଛୁଟି ନେଇ ଧାରଣାରେ ବସିଛନ୍ତି କର୍ମଚାରୀ । ବିଭିନ୍ନ ସରକାରୀ ଅଫିସକୁ ଆସି, କାର୍ଯବନ୍ଦ ଆନ୍ଦୋଳନ ଯୋଗୁଁ ହୀନସ୍ତା ହୋଇଛନ୍ତି ଲୋକେ ।  

୧୦ ଦଫା ଦାବି ନେଇ ରାଜସ୍ବମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ୧ ମାସ ସମୟ ପୂର୍ଣ୍ଣ ହେବାକୁ ଯାଉଥିଲେ ମଧ୍ୟ ଜିଲାସ୍ତରୀୟ ରାଜସ୍ୱ ଅମଲାଙ୍କ କ୍ୟାଡର ପୁନର୍ଗଠନ ଏଯାଏଁ ହୋଇପାରି ନାହିଁ । ଆନ୍ଦୋଳନ ଯୋଗୁଁ ଚାଷବାସ ସମୟରେ ଲୋକେ ଅକଳରେ ପଡିଛନ୍ତି । ଏବେ ସବୁ ନିର୍ଭର କରୁଛି ସରକାରଙ୍କ ନିଷ୍ପତ୍ତି ଉପରେ ।