କନକ ବ୍ୟୁରୋ: ଗାଁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ପିଲାଙ୍କ ଆନ୍ଦୋଳନ । ଗୋଟିଏ ଶିକ୍ଷକଙ୍କ ଭରସାରେ ଚାଲିଛି ରାଜ୍ୟର ଅନେକ ବିଦ୍ୟାଳୟ । ପ୍ରତିବାଦରେ ସ୍କୁଲରେ ତାଲା ପକାଉଛନ୍ତି ଅଭିଭାବକ, ଆନ୍ଦୋଳନରେ ବସୁଛନ୍ତି ଶିକ୍ଷକ । ହେଲେ ଏଭଳି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏଥର ଗାଁକୁ ଯିବେ ସହରୀ ଶିକ୍ଷକ ।
ସହରରେ ରହିପାରିବେନି ଅଧିକ ଶିକ୍ଷକ । ଡିଇଓଙ୍କୁ ଚିଠି ଲେଖିଲା ଶିକ୍ଷା ନିର୍ଦ୍ଦେଶାଳୟ । ଗ୍ରାମାଞ୍ଚଳରେ ତୁଟିବ ଶିକ୍ଷକ ଅଭାବ ସମସ୍ୟା !
ସହରାଞ୍ଚଳର ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । କିନ୍ତୁ ଗ୍ରାମାଞ୍ଚଳର ଅଧିକାଂଶ ସ୍କୁଲ ଜଣେ ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି । ଠିକ ଭାବେ ହୋଇପାରୁନି ପାଠ ପଢା । ତେଣୁ ପିଲାଙ୍କ ଶ୍ରେଣୀ ଗୃହ ପାଠପଢ଼ା ଠିକ୍ ଭାବରେ ଚାଲିବା ପାଇଁ, ଶିକ୍ଷକ ନିଯୁକ୍ତି ଦେବାକୁ ସରକାରଙ୍କ ପାଖରେ ଦାବି ବଢ଼ି ବଢ଼ି ଚାଲିଛି । ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ ପହଞ୍ଚୁଛି । ତେଣୁ ସହରର ଶିକ୍ଷକଙ୍କୁ ଗାଁ ସ୍କୁଲକୁ ପଠାଇବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରାଯିବ । ଯାହାକୁ ସ୍ୱାଗତ କରିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।
ଜରରିକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି, ଯଥାଶୀଘ୍ର ସହରାଞ୍ଚଳ, ବ୍ଳକ ହେଡ୍ କ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ ନିର୍ଦ୍ଦେ ଦିଆଯାଇଛି । ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିଛି ଅଭିଭାବକ ମହାସଙ୍ଘ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଏହାରି ଭିତରେ ଅନେକ ପରିକଳ୍ପନା କଲେଣି ନୂଆ ସରକାର । ହେଲେ ଏହି ପରିକଳ୍ପନା କେତେଦୁର କାର୍ଯକାରୀ ହେଉଛି ତା ଉପରେ ନଜର ।