କନକ ବ୍ୟୁରୋ : ୧୭ ଛାତ୍ରୀଙ୍କୁ ଯୌନ ନିର୍ୟାତନା ଅଭିଯୋଗ ପରେ, ଫେରାର୍ ହୋଇଯାଇଥିବା ଚୈତନ୍ୟାନନ୍ଦଙ୍କର ଗୁମର ଖୋଲିବାରେ ଲାଗିଛି । ବର୍ଷ ବର୍ଷ ଧରି ଛାତ୍ରୀଙ୍କ ସହ କରୁଥିଲେ ଯୌନ ଶୋଷଣ । ୧୭ ଛାତ୍ରୀଙ୍କ ଅଭିଯୋଗ ପରେ, ବାବା ଫେରାର୍ ହୋଇଯାଇଛନ୍ତି । ୩୨ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି । ସେ ଯେପରି ଦେଶ ଛାଡ଼ି ନପଳାନ୍ତି ସେଥିପାଇଁ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି ଦିଲ୍ଲୀ ପୁଲିସ । ତାଙ୍କୁ ଧରିବା ପାଇଁ ୫ ରାଜ୍ୟରେ ଅଣ୍ଡାଳୁଛି ପୁଲିସ । ଏକାଧିକ ପୁଲିସ ଟିମ୍ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ଚଢ଼ାଉ କରୁଛି । ଯୌନ ନିର୍ୟାତନା ଓ ଅସଦାଚରଣ ସହ ଆପରାଧିକ ଧମକଚମକ ଅଭିଯୋଗରେ ତାଙ୍କ ବିରୋଧରେ ବିଏନଏସ୍ ଧାରା ୭୫ (୨), ୭୯ ଓ ୩୫୧ (୨)ରେ ମାମଲା ରୁଜୁ କରିଛି । ସିସିଟିଭି ଫୁଟେଜ୍ ଓ ଅଭିଯୋଗକାରିଣୀଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଜାରି ରହିଛି ।
ତଦନ୍ତ ଯେତେ ଆଗଉଛି, ସେତେ ଖୋଲୁଛି ଚୈତନ୍ୟାନନ୍ଦଙ୍କ କୁକର୍ମର କଚ୍ଚାଚିଠା । ଛାତ୍ରୀଙ୍କୁ ଅଧରାତିରେ ମେସେଜ୍ ପଠାଉଥିଲେ ବାବା । ବେବି, ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ତୁମକୁ ବହୁତ ପସନ୍ଦ କରେ । ତୁମେ ଆଜି ସୁନ୍ଦର ଦେଖାଯାଉଛ । ମୋ ରୁମକୁ ଆସ, ମୁଁ ତୁମକୁ ବିଦେଶକୁ ବୁଲାଇ ନେବି। ଏଥିପାଇଁ ତୁମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।
ବାବା ଏଭଳି ଖରାପ ମେସେଜ ଛାତ୍ରୀଙ୍କୁ ପଠାଉଥିବା ନେଇ ପୁଲିସ ହାତରେ ତଥ୍ୟ ଲାଗିଛି । ଏନେଇ ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ବହୁ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଇବା ସହ ରୁମକୁ ଡାକୁଥିଲେ ବାବା । ରାଜି ନହେଲେ ପରୀକ୍ଷାରେ ଫେଲ୍ କରାଇ ଦେବାର ଧମକ ମିଳୁଥିଲା । ପୀଡ଼ିତାମାନେ ଯେପରି ମୁହଁ ନଖୋଲନ୍ତି, ସେଥିପାଇଁ ସେମାନଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ବନ୍ଧକ ରଖି ବ୍ଲାକମେଲ୍ କରାଯାଉଥିଲା । ବଡ଼ କଥା ହେଉଛି ବାବାଙ୍କର ରହିଛି ଓଡ଼ିଶା ଲିଙ୍କ୍ । ଦିଲ୍ଲୀର ବସନ୍ତକୁଞ୍ଜରେ ଆଶ୍ରମ ଓ ଶିକ୍ଷାନୁଷ୍ଠାନ ଚଳାଉଥିବା ଏହି ତଥାକଥିତ ବାବାଙ୍କ ଘର ଓଡ଼ିଶାରେ । ତେବେ ଦିଲ୍ଲୀରେ ଦୀର୍ଘ ୧୨ ବର୍ଷ ଧରି ରହିଆସୁଥିଲେ। ଖାଲି ଶିକ୍ଷାନୁଷ୍ଠାନ ଚଳାଇବା ସହ ଆଶ୍ରମର ଅପରେଟର୍ ଓ କେୟାରଟେକର୍ ଦାୟିତ୍ବରେ ମଧ୍ୟ ଥିଲେ । ଗରିବ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ନାଁରେ ବନାଉଥିଲେ ନିଜ କୁକର୍ମର ଶିକାର । ଗିରଫ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।