କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ସିଆଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସିଆଇଡି ଅଧିକାରୀମାନେ କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନ କାର୍ଯ୍ୟାଳୟରେ ପହଞ୍ଚି ପ୍ରାଥମିକ ତଥ୍ୟ ସଂଗ୍ରହ କରିଛନ୍ତି । କେଏସସିଏର ସମ୍ପାଦକ ଏ ଶଙ୍କର ଓ କୋଷାଧ୍ୟକ୍ଷ ଜୟରାମ ନୈତିକ ଦାୟିତ୍ୱ ନେଇ ପଦତ୍ୟାଗ କରିଛନ୍ତି । ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରଣ୍ଡଲାଜେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୟା ଓ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏହି ଦୁର୍ଘଟଣା ପାଇଁ ସିଧାସଳଖ ଦାୟୀ କରି କହିଛନ୍ତି । କହିଛନ୍ତି,ସେମାନଙ୍କ ହାତରେ ରକ୍ତ ଲାଗିଛି । ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ପଦତ୍ୟାଗ ଦାବି କରିଛନ୍ତି । ବିଜେପି ଅଭିଯୋଗ କରିଛି, କଂଗ୍ରେସ ସରକାରଙ୍କ ଅବହେଳା ଓ ଭିଡ଼ ନିୟନ୍ତ୍ରଣରେ ବିଫଳତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ସ୍ୱତଃପ୍ରବୃତ୍ତ ହୋଇ ସରକାରଙ୍କୁ ୧୦ ଜୁନ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

Advertisment