କନକ ବ୍ୟୁରୋ: ଭରତପୁର ଥାନା ଘଟଣାରେ ତଦନ୍ତ ଜୋରଦାର ହୋଇଛି । ସତ ଜାଣିବା ପାଇଁ ନିଲମ୍ୱିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ନାର୍କୋ ଆନାଲିସିସ ଏବଂ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ହେବ । ଏଥିପାଇଁ ସେ ସହମତି ବି ଜଣାଇଛନ୍ତି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ କ୍ରାଇମ ସିନ ରି-କ୍ରିଏସନ କରିଛି ସିଆଇଡି ଟିମ।

Advertisment

ଭୁବନେଶ୍ୱର କୋର୍ଟରେ ଭରତପୁର ଥାନାର ପୂର୍ବତନ ଆଇଆଇସି। ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଦୀନକୃଷ୍ଣ ମିଶ୍ର। ଗତ ୧୪ ତାରିଖ ବିଳମ୍ୱିତ ରାତିରେ ଘଟିଥିବା ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଦୀନକୃଷ୍ଣଙ୍କ ବୟାନ କ୍ରାଇମବ୍ରାଞ୍ଚ ପାଇଁ ସନ୍ଦେହ ବଢାଇଛି। ତେଣୁ ଘଟଣାର ସତ ଜାଣିବାକୁ ଦୀନକୃଷ୍ଣଙ୍କ ପଲିଗ୍ରାଫ, ନାର୍କୋ ଆନାଲିସିସ ଏବଂ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ପାଇଁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଏହି ପରୀକ୍ଷା ପାଇଁ ଦୀନକୃଷ୍ଣଙ୍କ ସହମତି ନିହାତି ଆବଶ୍ୟକ ଥିଲା। ତେବେ କୋର୍ଟରେ ହାଜର ହୋଇ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ଟେଷ୍ଟ ସମ୍ପର୍କରେ ନିଜର ମତ ରଖିଛନ୍ତି ଦୀନକୃଷ୍ଣ। ସେ କୌଣସି ମିଛ କହୁ ନାହାନ୍ତି ଏବଂ ସବୁପ୍ରକାର ପରୀକ୍ଷା ପାଇଁ ନିଜର ସମ୍ମତି ପ୍ରକାଶ କରିଛନ୍ତି । ଗୁଜୁରାଟ ଗାନ୍ଧିନଗରରେ ଥିବା ଏସଏଫଏସଏଲରେ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି କୋର୍ଟ। 

ସେପଟେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନେଇ କ୍ରାଇମ ସିନ ରି-କ୍ରିଏସନ କରିଛି ସିଆଇଡି ଟିମ। କ୍ରାଇମସିନ-ୱାନ କୁହାଯାଉଥିବା ସୁନ୍ଦରପୁର ଛକରେ ସେଦିନ କାଳ ରାତିରେ ଘଟିଥିବା କଳାକାହାଣୀ ସଂପର୍କରେ ସିଆଇଡିକୁ କହିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ଫାରୋ କ୍ୟାମେରା ସାହାଯ୍ୟରେ ଏସବୁର ପ୍ରମାଣ ହାତେଇଛି କ୍ରାଇମବ୍ରାଞ୍ଚ। କ୍ରାଇମସିନ-ଟୁ କୁହାଯାଉଥିବା ଭରତପୁର ଥାନାରେ ପହଂଚି ଉଭୟ ଦେଖାଇଥିଲେ ପୁରା ଘଟଣାକ୍ରମ। ସସପେଣ୍ଡ ହୋଇଥିବା ୫ ପୁଲିସ କ୍ରମଚାରୀ ମଧ୍ୟ ଘଟଣା ସଂପର୍କରେ ସିଆଇଡିକୁ ଡେମୋ ଦେଖାଇଛନ୍ତି । 

ଘଟଣା ଘଟିବାର ପ୍ରାୟ ୧୧ ଦିନ ପରେ କ୍ରାଇମସିନରୁ କେତେ ତଥ୍ୟ ଓ ତଥ୍ୟଭିତ୍ତିକ ପ୍ରମାଣ ଏକାଠି କରିବାରେ କ୍ରାଇମବ୍ରାଞ୍ଚ ସକ୍ଷମ ହେଲା ସେନେଇ ପ୍ରଶ୍ନ ଉଠିଛି। ଭରତପୁର ଥାନାରେ ସୋଦିନ କଣ ଘଟିଥିଲା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।