କନକ ବ୍ୟୁରୋ : ଉଦ୍ଯାପିତ ହୋଇଯାଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭାର ପ୍ରସିଦ୍ଧ ଚୁଡ଼ାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୫ । ରଙ୍ଗାରଙ୍ଗ ପରିବେଶ ଓ ରଙ୍ଗିନ ଆଲୋକମାଳାରେ ଝଲସିଛି ଚୁଡ଼ାଖାଇ ଡଙ୍ଗରର ପାଦଦେଶ । ନୃତ୍ୟ ଗୀତର ତାଳେତାଳେ ଝୁମି ମହୋତ୍ସବର ମଜା ନେଇଛନ୍ତି ଦର୍ଶକ । ପ୍ରଥମ ସଂଧ୍ୟା ଭଳି ମହୋତ୍ସବର ଶେଷ ସଂଧ୍ୟା ବି ବେଶ ରଙ୍ଗିନ ଥିଲା। ଲୋକ ଗୀତ ଓ ନୃତ୍ୟରେ ଦୁଲୁକିଥିଲା ଚୁଡ଼ାଖାଇ ମଣ୍ଡପ । କଂସ ଦରବାରର ଅନେକ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା ।
୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ହଜାର ହଜାର ଲୋକ ସାଂସ୍କୃତିକ ସଂଧ୍ୟାର ମଜା ନେବା ସହ ଚୁଡ଼ାଖାଇ ପାହାଡ଼କୁ ଚଢ଼ି ନେଇଥିଲେ ଏକ ନିଆରା ଅନୁଭୂତି । ଡୁଙ୍ଗୁରି ପାହାଡ଼କୁ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବା ବେଳେ ସପ୍ତମ ଥର ପାଇଁ ଏହି ଆୟୋଜିତ ହୋଇଛି ମହୋତ୍ସବ । ଐତିହାସିକ ଚୁଡ଼ାଖାଇ ପୀଠର ପ୍ରଚାର ପ୍ରସାର ସହ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହି ମହୋତ୍ସବ ସହାୟକ ।