କନକ ବ୍ୟୁରୋ:  ଜନ୍ମ ମରଣ ତ ଚିରନ୍ତନ ସତ୍ୟ , ଏଦୁଇଟି ଶବ୍ଦର ଅବଧି ପରେ ସମୟ କ୍ରମେ ସମସ୍ତେ ଭୁଲିଯିବେ । ହେଲେ କିଛି ମାତ୍ର ଲୋକଙ୍କୁ ଅନ୍ୟମାନେ କାଳ କାଳକୁ ମନେ ରଖନ୍ତି । ଏଭଳି ଭାଗ୍ୟ କେତେ ଜଣଙ୍କର ଜୁଟେ କହିଲେ !  

Advertisment

କିଛି ମଣିଷ ଅନ୍ୟର ମଙ୍ଗଳ କରି ଅମର ହୋଇଯାନ୍ତି, ଏଭଳି ଜଣେ ଯୁବକ ହେଉଛନ୍ତି ଦାମନଯୋଡିର ଯୁବକ ଚୁଆଲ ସିଂ । ମୃତ୍ୟୁ ଦେହଟାକୁ ମାଟିରେ ମିଶାଇଦେବା ଆଗରୁ ନିଜର ଅଙ୍ଗଦାନ କରି ୬ ଛଅଟା ଜୀବନ ରଖି ଦେଇ ଯାଇଛନ୍ତି ଚୁଆଲ । ତାଙ୍କ ଦେହାନ୍ତରେ ଘର ଲୋକ ଯେତିକି ଦୁଃଖୀ ତାଙ୍କ ଜୀବନ ଯେ ଅନେକଙ୍କୁ ନୂଆ ଜୀବନ ଦେଇଛି ଏକଥା ଭାବି ନିଜ ମନକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । 

ଚୁଆଲ ଥିଲେ ଭାରି ମିଶାଣିଆ ଯୁବକ ।  ସୁନାବେଡା ହାଲରେ କାମ କରୁଥିଲେ । ସ୍ତ୍ରୀ , ଗୋଟିଏ ବୋଲି ଝିଅକୁ ନେଇ ବେଶ୍ ଖୁସି ଥିଲେ । ହେଲେ ମୃତ୍ୟୁ କି ବୁଝେ ହସ ଖୁସି, ଭଲ ମନ୍ଦ କି ବୁଢା ଟୋକା । ତା କର୍ତ୍ତବ୍ୟ ସେ କରିଚାଲେ । ଅନ୍ୟର ସୁଖ ଦୁଃଖରେ ତାର କିଛି ଯାଏ ଆସେନି । ଦିନେ ରାତିରେ କାମରୁ ଫେରୁଥିବା ବେଳେ ଏକ ଅଜଣା କାର୍ ତାଙ୍କୁ ପଛପଟୁ ପିଟିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ ନିଆଗଲା । ସେଠାରେ କିଛି ପରିବର୍ତ୍ତନ ଲକ୍ଷ୍ୟ ନହେବାରୁ ତାଙ୍କୁ ବିଶାଖାପାଟନା ହସ୍ପିଟାଲ ନିଆଗଲା ହେଲେ ବଞ୍ଚିଲାନି ଚୁଆଲଙ୍କ ଜୀବନ । ବ୍ରେନ ଡେଡ୍  ଘୋଷଣା କଲେ ଡାକ୍ତର । 

ହେଲେ ଏ ସଂସାରରୁ ବିଦାୟ ଦେବା ପୂର୍ବରୁ ଘର ଲୋକଙ୍କ ମୁଣ୍ଡକୁ ଆସିଥିଲା ଅଙ୍ଗ ଦାନ ଚିନ୍ତା । ନିଜ ମଣିଷକୁ ତ ଆଉ ପାଇବେନି । ଅନ୍ତତଃ ତାଙ୍କ ଲାଗି ଆଉ କିଛି ଲୋକ ବଞ୍ଚିଯାଆନ୍ତୁ । ଏହା ଚିନ୍ତା କରି ଡାକ୍ତରଙ୍କୁ ଜଣାଇଥିଲେ ଚୁଆଲଙ୍କ ଅଙ୍ଗ ଦାନ କଥା । ଏହାପରେ ଆରମ୍ଭ ହୋଇଥିଲା ଅର୍ଗାନ ଟ୍ରାନ୍ସଫର ପ୍ରୋସେସ୍ ।  ଯକୃତ ଠାରୁ ଆରମ୍ଭ କରି ହାର୍ଟ, ଲିଭର, ଆଖି ସବୁ କିଛି ଦେଇ ୬ ଜଣଙ୍କୁ ଦେଇ ଗଲେ ନୂଆ ଜୀବନ । 

ଚୁଆଲଙ୍କୁ ମୁଖାଗ୍ନି ଦେଇଥିଲା କୁନି ଝିଅ । ଅବୁଝା ମନକୁ ଗୋଟିଏ କଥା କହି ପରିବାର ଲୋକ ବୁଝାଉଥିଲେ, ଏ ତ ତା ବାପାଙ୍କର ଦେହ ମାତ୍ର ଚାଲିଗଲା । ତା ବାପା ପରା ୬ ଜଣଙ୍କ ଦେହରେ ବଞ୍ଚିଛନ୍ତି ।