କନକ ବ୍ୟୁରୋ : ଏକାସଙ୍ଗେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ବାହାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଏଥର ପରୀକ୍ଷା ଦେଇଥିଲେ ୩ ଲକ୍ଷ ୮୨ ହଜାର ୭୨୯ ଛାତ୍ରଛାତ୍ରୀ । ପାସ କରିଛନ୍ତି ୩ ଲକ୍ଷ ୧୬ ହଜାର ୭୮୭ ଛାତ୍ରଛାତ୍ରୀ । ଯୁକ୍ତ ଦୁଇରେ ପାସ ହାର ରହିଛି ୮୨.୭୭ % ।

Advertisment

ଚଳିତ ବର୍ଷ ବି ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ଝିଅଙ୍କ ପାସ୍ ହାର୍ ୮୭.୨୪% ଥିବା ବେଳେ ପୁଅଙ୍କ ପାସ୍ ହାର୍ ୭୭.୮୮% ରହିଛି । ପାସ ହୋଇଛନ୍ତି ୧ ଲକ୍ଷ ୪୨ ହଜାର ୫୧୨ ଛାତ୍ର ଓ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ । କଳାରେ ପାସ ହାର ୮୦.୫୧% ରହିଥିବା ବେଳେ ବିଜ୍ଞାନରେ ୮୭.୫୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ୮୩.୨୦% ପରୀକ୍ଷାର୍ଥୀ ପାସ କରିଛନ୍ତି ।

ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିଥିଲା ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷାଫଳ ବାହାରିବା ପରେ ଛାତ୍ରଛାତ୍ରୀ ସେଲିବ୍ରିସନ କରିଛନ୍ତି । ବିଜ୍ଞାନରେ ନୟାଗଡ଼ରେ ସର୍ବାଧିକ ୯୭.୫୮% ଓ ବୌଦ୍ଧରେ ସର୍ବନିମ୍ନ  ୭୧.୮୫% ପ୍ରତିଶତ ପାସ କରିଛନ୍ତି । ବାଣିଜ୍ୟରେ ବି ନୟାଗଡ଼ରେ ସର୍ବାଧିକ ୯୩.୭୧% ଓ ବଲାଙ୍ଗୀରରେ ସର୍ବନିମ୍ନ ୬୯.୧୯% ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ବରଗଡ଼ରେ ସର୍ବାଧିକ ୮୭.୬୦% ଓ ନବରଙ୍ଗପୁରରେ ସର୍ବନିମ୍ନ  ୬୮.୧୩% ପିଲା ପାସ କରିଛନ୍ତି । ବଡ଼କଥା ହେଲା, ଇଣ୍ଟରନାଲ ପରୀକ୍ଷା ବଢାଇଦେଇଛି ପାସହାର । ୯୦ % ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ହେଉଛନ୍ତି ୨୨୮୧ । ଯାହା ଗତବର୍ଷ ଥିଲା ମାତ୍ର ୫୮୬ । ସେହିଭଳି ୪୫ % ରୁ ଅଧିକ ମାର୍କ ରଖିଛନ୍ତି ୯୫% ଛାତ୍ରଛାତ୍ରୀ ।

ତେବେ ପରୀକ୍ଷାଫଳ ବାହାରିବାର ୭ ଦିନ ମଧ୍ୟରେ ପୁନଃ-ଯାଞ୍ଚର ବିଜ୍ଞପ୍ତି ପ୍ରକାଶ ପାଇବ । ଡିଜି ଲକରରେ ମାର୍କସିଟ ଓ ଅନ୍ୟ ସାର୍ଟିଫିକେଟ ମିଳିବ । ନିଜ ନିଜ ସ୍କୁଲରୁ ଛାତ୍ରଛାତ୍ରୀ ସାର୍ଟିଫିକେଟ ସଂଗ୍ରହ କରିପାରିବେ । ଜୁନ ଶେଷ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ହେବ ।