କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟର ଟେଷ୍ଟ୍ରେ ଭାରତୀୟ ୱିକେଟ୍କିପର ବ୍ୟାଟର୍ ଋଷଭ ପନ୍ତ ଭଙ୍ଗା ପାଦରେ ବ୍ୟାଟିଂକୁ ଆସି ଦେଶ ପାଇଁ ଲଢ଼ିଥିଲେ । ସେହିଭଳି ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍ ୱକ୍ସ ଆହତ ସତ୍ତ୍ବେ ଦ ଓଭାଲ୍ରେ ବ୍ୟାଟିଂକୁ ଆସି ମହାନତା ଦେଖାଇଛନ୍ତି । ଏହି ଟେଷ୍ଟ୍ର ପ୍ରଥମ ଦିନରେ ଫିଲ୍ଡଂ କରୁଥିବା ବେଳେ ଡାଇଭ୍ ମାରି ବାଉଣ୍ଡରି ନିକଟରେ ବଲ୍ ଅଟକାଇବା ବେଳେ ତାଙ୍କ କାନ୍ଧହାଡ଼ ଖସିଯାଇଥିଲା । ଫଳରେ ସେ ଆଉ ପଡ଼ିଆକୁ ଆସି ନଥିଲେ । ଏପରିକି ପ୍ରଥମ ପାଳିରେ ସେ ବ୍ୟାଟିଂ ମଧ୍ୟ କରି ନଥିଲେ । ହେଲେ ଦ୍ୱିତୀୟ ପାଳିରେ ଦଳକୁ ବିଜୟ ପାଇଁ ୧୭ରନ୍ ଆବଶ୍ୟକ ଥିଲା ବେଳେ ୯ ୱିକେଟ୍ ହରାଇଥିଲା ଟିମ୍ । ତେଣୁ ଦଳକୁ ବିଜୟ ଦେବା ଆଶାରେ ସେ ଗୋଟିଏ ହାତବନ୍ଧା ଅବସ୍ଥାରେ ପଡ଼ିଆକୁ ଆସିଥିଲେ । କ୍ରିସ୍ ୱକ୍ସ ଡ୍ରେସିଂରୁମ୍ରୁ ବାହାରି ପଡ଼ିଆକୁ ଆସୁଥିବା ତାଙ୍କର ଏଭଳି ଦୃଢ଼ମନକୁ ମମ୍ମାନ ଜଣାଇଥିଲେ ଗ୍ୟାଲେରିରେ ବସିଥିବା ଦର୍ଶକ । ଭାରତ ହେଉ କି ଇଂଲଣ୍ଡ ସମର୍ଥକ, ପ୍ରତ୍ୟେକ ତାଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଥିଲେ ।
ଏପରିକି ସେ ଦଶମ ୱିକେଟ୍ରେ ଗସ୍ ଆଟ୍କିନ୍ସନ୍ଙ୍କ ସହ ୧୦ ରନ୍ ଭାଗୀଦାରି ଗଢ଼ି ଦଳକୁ ବିଜୟ ନିକଟତର କରିଥିଲେ । ଆଟ୍କିନ୍ସନ୍ ତାଙ୍କୁ ଗୋଟିଏ ବି ବଲ୍ ସମ୍ମୁଖୀନ ହେବା ପରିସ୍ଥିତି ସୃଷ୍ଟି କରିନଥିଲେ । ହେଲେ ମହମ୍ମଦ ସିରାଜଙ୍କ ବଲ୍ରେ ଆଟ୍କିନ୍ସନ୍ ବୋଲ୍ଡ ହୋଇଯିବାରୁ ଭାରତ ୬ ରନ୍ରେ ବିଜୟୀ ହୋଇଥିଲା । ଏହା ପୂର୍ବରୁ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ୍ରେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ । କ୍ରିସ୍ ୱକ୍ସ ଙ୍କ ବଲ୍ ତାଙ୍କ ପାଦରେ ବାଜି ଫାଟିଯାଇଥିଲା। ଏହା ପରେ ପନ୍ତ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଯାଇଥିଲେ । କିନ୍ତୁ, ୱିକେଟ୍ରକ୍ଷଣ କରି ନଥିଲେ ମଧ୍ୟ ଯେତେବେଳେ ଦଳକୁ ତାଙ୍କର ଆବଶ୍ୟକତା ଥିଲା, ସେହି ଭଙ୍ଗାପାଦରେ ସେ ବ୍ୟାଟିଂକୁ ଆସିଥିଲେ । ଦ୍ବିତୀୟ ପାଳିରେ ଗିଲ୍, ଜାଡ଼େଜା, ସୁନ୍ଦର ଶତକ ମାରି ଭାରତକୁ ଡ୍ର’ ରଖିବାରୁ ପନ୍ତ୍ଙ୍କ ବ୍ୟାଟିଂର ଆବଶ୍ୟକତା ପଡ଼ିନଥିଲା ।