କନକ ବ୍ୟୁରୋ : ସପ୍ତାହେ ହେଲା ହଇଜାକୁ ନେଇ ହାହାକାର ପରେ ସ୍ପଷ୍ଟ ହୋଇଛି କାରଣ । ଗ୍ରାଉଣ୍ଡରୁ ଫେରିବା ପରେ ପାନୀୟ ଜଳ ହଇଜା ମାଡିବାର ପ୍ରମୁଖ କାରଣ ବୋଲି ରାଜ୍ୟ ସ୍ବାସ୍ଥ୍ୟବିଭାଗକୁ ଚେତାଇ ଦେଇଛି କେନ୍ଦ୍ରୀୟ ଟିମ୍ । ଏହାକୁ କେମିତି ନିୟନ୍ତ୍ରଣ କରାଯିବ, ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ, ପଂଚାୟତିରାଜ ଓ ପାନୀୟଜଳ, ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ମାରାଥନ ବୈଠକ କରିଛନ୍ତି କେନ୍ଦ୍ରୀୟ ଟିମ୍ । ନିରାକରଣ ପାଇଁ ବୈଠକରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । କହିଛନ୍ତି
କେନ୍ଦ୍ରୀୟ ଟିମର ପରାମର୍ଶ
- ପାନୀୟ ଜଳର ଉତ୍ସ ଗୁଡିକୁ ଚିହ୍ନଟ କରି ବିଶୋଧନ କର
- ବିଭିନ୍ନ ପାଣି ଫ୍ୟାକ୍ଟ୍ରିଗୁଡିକର ମାନ ଯାଂଚ କର
- ଅଧିକ ସମ୍ବେଦନଶୀଳ ଜିଲ୍ଲା ଯାଜପୁର, କେନ୍ଦୁଝର, ଭଦ୍ରକ ଉପରେ ଫୋକସ କର
- ସ୍ଥିତି ନିୟନ୍ତ୍ରଣ ନହେବା ଯାଏ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଉପରେ ନଜର ରଖ
- ଭୋଜିଭାତ ଉପରେ ନଜର ରଖ
ଯାଜପୁରରୁ ଆରମ୍ଭ ହୋଇଥିବା ଝାଡାବାନ୍ତି ଏବେ ରାଜ୍ୟର ୯ ଜିଲ୍ଲାକୁ ବ୍ୟାପିଲାଣି । ବେସରକାରୀ ଭାବେ ୨୦ରୁ ଅଧିକ ମୁଣ୍ଡ ଗଡିଲାଣି । ଏତେ ମାତ୍ରାରେ ମାଡିବାକୁ ନେଇ ସାଂଘାତିକ କଥା କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିବା ପରେ ସେ କହିଛନ୍ତି, ଝାଡାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ସଂକ୍ରମିତ ଅଂଚଳର ବ୍ୟକ୍ତି ଅନ୍ୟ ଅଂଚଳକୁ ଯିବା ଏବଂ ସେଠାରେ ଝାଡା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଉଛି ।
ପାଣି ଯୋଗୁଁ ଜଣ୍ଡିସ ବି ବ୍ୟାପୁଛି । ଭୁବନେଶ୍ବର ବଡଗଡ ବ୍ରିଟ୍ ଇଏ କଲୋନି, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ୫୦ ଜଣ ଜଣ୍ଡିସ ଆକ୍ରାନ୍ତ ହେବା ପରେ ଏହି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ସବୁ ଅଂଚଳରୁ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆଯାଇଥିଲା । ପରୀକ୍ଷା ପରେ ଯୋଗାଇ ଦିଆଯାଉଥିବା ପାଣି ହିଁ ଜଣ୍ଡିସର କାରଣ ବୋଲି କୁହାଯାଉଛି ।
ଏଭଳି ସ୍ଥିତିରେ ଦିନକ ପରେ ଖୋଲିବାକୁ ଯାଉଛି ସ୍କୁଲ। ହଇଜା ଭୟ ଭିତରେ ଯାଜପୁର ଭଳି ସମ୍ବେଦନଶୀଳ ଜିଲ୍ଲାରେ କେମିତି ସ୍କୁଲ ଖୋଲିବ, ସେ ନେଇ ଦ୍ବନ୍ଦ୍ବରେ ସରକାର। କାରଣ ଏବେ ବି ହଇଜା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।