କନକ ବ୍ୟୁରୋ: ଯାଜପୁରରେ ହଇଜାକୁ ନେଇ ଚାରିଆଡେ ହାହାକାର ଅବସ୍ଥା ସୃଷ୍ଟି ହୋଇଛି । ଯାଜପୁରରେ ଝାଡାବାନ୍ତି ବ୍ୟାପିବାକୁ ଏହା ଭିତରେ ପ୍ରାୟ ସପ୍ତାରେ ପୂରିଥିଲେ ବି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରିନି । ଏବେ ବି ନିତି ଚିହ୍ନଟ ହେଉଛନ୍ତି ନୂଆ ଆକ୍ରାନ୍ତ । ଗୋଟିଏ ଗାଁରେ କମୁଥିବାବେଳେ ନୂଆ ନୂଆ ଗାଁରେ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଭୟଭୀତ ପୂରା ଜିଲ୍ଳାବାସୀ । 

ଯାଜପୁର ପରକୁ କଟକର ସବୁଠାରୁ ଅଧିକ ବ୍ଲକକୁ ବ୍ୟାପିଛି ଝାଡାବାନ୍ତି । ବାଙ୍କୀ, ନରସିଂହପୁର, ସାଲେପୁର, ଟାଙ୍ଗୀ-ଚୌଦ୍ବାରକୁ ମାଡିଯିବା ପରେ ପୂରା ଅଂଚଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଅନ୍ୟପଟେ ଆଜି ଟାଙ୍ଗୀ- ଚୌଦ୍ବାର ପ୍ରଭାବିତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକେ ବ୍ୟବହାର କରୁଥିବା କୂଅକୁ ବନ୍ଦ କରିଛି ପ୍ରଶାସନ । ଯାଜପୁର, କଟକ ଭଳି ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା, ପୁରୀ, ଢେଙ୍କାନାଳ ଜିଲ୍ଲାରେ ଡାଇରିଆ କମିବାରେ ନାଁ ନେଉନି। ଏବେ ବି ଏହିସବୁ ଜିଲ୍ଲାରେ ଡାଇରିଆ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ଜିଲ୍ଲା        ଆକ୍ରାନ୍ତଙ୍କ ସଂଖ୍ୟା    ଚିକିତ୍ସାଧୀନ
କେନ୍ଦୁଝର    ୨୦୦            ୬୦
ଢେଙ୍କାନାଳ    ୫୦            ୩୦
ଭଦ୍ରକ        ୫୦            ୨୪
କେନ୍ଦ୍ରାପଡ଼ା    ୩୦            ୩୦
ପୁରୀ        ୫୦            ୫
ଝାଡାବାନ୍ତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରାୟ ସବୁ ପ୍ରଭାବିତ ଅଂଚଳକୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।  ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାବେଳେ ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସମୀକ୍ଷାରୁ ଜଣାପଡିଛି, ପରୀକ୍ଷା ପାଇଁ ଯାଇଥିବା ନମୁନାରୁ ୧୦ ପ୍ରତିଶତ କେବଳ କଲେରା ଜୀବାଣୁ ଚିହ୍ନଟ ହୋଇଛି । ୫ଟି ଜିଲ୍ଲା ନୁହେଁ, ୨୫ ଜିଲ୍ଲାକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ହସ୍ପିଟାଲ ଗୁଡ଼ିକୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ପର୍ଯ୍ୟନ୍ତ ବିଶୋଧନ ପ୍ରକ୍ରିୟା ଜାରି ରହିବ । ଗାଁ ଗାଁ ରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଏତେ ମାତ୍ରାରେ କଲେରା ଜୀବାଣୁ ଚିହ୍ନଟ ହେବା ସରକାରଙ୍କ ନିଦ ହଜାଇ ଦେଇଛି ।