କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ କଲେରା ଝାଡ଼ାବାନ୍ତି ଆକ୍ରାନ୍ତ ଘଟଣା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବାସ୍ତବ ସ୍ଥିତି ସମର୍କରେ ଅବଗତ ହେବାକୁ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିପରି କେନ୍ଦ୍ରୀୟ ଟିମ୍ ମଧ୍ୟ ଯାଜପୁର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। 
 
କଲେରା ନେଇ ଯାଜପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି । ୭୫୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଜିଲ୍ଲାର ଏବେ ବି ୧୩ଟି ସରକାରୀ ଡାକ୍ତରଖାନାରେ ପାଖାପାଖି ୩ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ଆଜି ଗୋଟିଏ ଦିନରେ ୩୩ ନୂଆ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ୫୦ରୁ ଅଧିକ ରେଫର କେସ୍ କଟକ, ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି । 

Advertisment

ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ 
କେନ୍ଦ୍ରୀୟ ଟିମ୍ କରୁଛନ୍ତି ସମୀକ୍ଷା 

ଝାଡ଼ାବାନ୍ତି କାବୁକୁ ଆସୁନଥିବାବେଳେ ଯାଜପୁର ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ବଡ଼ଚଣା, ଧର୍ମଶାଳା, ଯାଜପୁର, ବ୍ୟାସନଗରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେ ନେଇ ରୋଗୀଙ୍କୁ ପଚାରି ବୁଝିଛନ୍ତି । ରୋଗର ନିୟନ୍ତ୍ରଣ, ନିରାକରଣ ଓ ସଂକ୍ରମଣ ରୋକିବାକୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଜିଲ୍ଳା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଲୋକେ ଭୟଭୀତ ନହୋଇ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । 
 
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନର ଏକ ୧୪ଜଣିଆ କେନ୍ଦ୍ରୀୟ ଟିମ୍ ଯାଜପୁର ଗସ୍ତରେ ଆସିଛନ୍ତି । ବିଭିନ୍ନ ମେଡିକାଲକୁ ଯାଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ତେବେ କେଉଁ କାରଣରୁ ଡାଇରିଆ ବ୍ୟାପୁଛି, ତାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍ଥିତି ଉଦବେଗଜନକ ଥିବାରୁ କେବେ ରୋଗର ନିୟନ୍ତ୍ରଣ ଓ ନିରାକରଣ ହେବ, ତା ଉପରେ ରହିଛି ସମସ୍ତଙ୍କ ନଜର ।