କନକ ବ୍ୟୁରୋ: ହଇଜାକୁ ନେଇ ଏବେ ଗାଁ ଗାଁରେ ଆତଙ୍କ । ହଇଜା ସଂକ୍ରମିତ ଅଞ୍ଚଳରେ ପାନୀୟ ଜଳରୁ ଇ-କୋଲାଇ ବ୍ୟାକ୍ଟେରିଆର ଘାତକ ଷ୍ଟ୍ରେନ୍ ଚିହ୍ନଟ ହେବା ଏବେ ଭୟର ବାତାବରଣ ସୃଷ୍ଟି କରିଛି । ଯେଉଁ ଜଳ ଜୀବନ ବଞ୍ଚାଉଥିଲା, ଏବେ ସେହି ଜଳ ଜୀବନ ନେଉଛି । ଜିଲ୍ଲାକୁ ଜିଲ୍ଲା ଡେଉଁଛି ହଇଜା । ଉପକୂଳରୁ ଆରମ୍ଭ ହୋଇ ଏବେ ଉତ୍ତର ଓଡ଼ିଶାରେ ପ୍ରଭାବ ବିସ୍ତାର କଲାଣି । ଗାଁ ଗାଁରେ ଜନସଚେତନତା ହେଉଛି, କିନ୍ତୁ ମନରୁ ଭୟ ଦୂର ହେଉନି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ହଇଜା ବ୍ୟାପିବା ପଛର ବଡ କାରଣ ସାମ୍ନାକୁ ଆସିଛି । ସର୍ବାଧିକ ସଂକ୍ରମିତ ଯାଜପୁରର ପାନୀୟ ଜଳର ବିଭିନ୍ନ ଉତ୍ସରୁ ସଂଗୃହିତ ପାଣି ନମୁନାରୁ ଇ-କୋଲାଇ ବ୍ୟାକ୍ଟେରିଆର ଘାତକ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । 

ଯାଜପୁରର ଅଧିକାଂଶ ଡାଇରିଆ ସଂକ୍ରମିତଙ୍କ ଶରୀରରେ ଇ-କୋଲାଇର ଘାତକ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ପାନୀୟ ଜଳରୁ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିବାରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି । ଏହି ଘାତକ ଷ୍ଟ୍ରେନ୍ ଶରୀରକୁ ଯିବା ପରେ, 
ପତଳା ଝାଡ଼ା, ବେଳେ ବେଳେ ରକ୍ତ ପଡ଼ିଥାଏ
ଶରୀରରେ ଅଳ୍ପ ଜ୍ବର ରହିବ
ଭୋକ ହେବନି
ବାନ୍ତି ଲାଗିବ ଓ ବାନ୍ତି ହେବ 
ପେଟବ୍ୟଥା ଏବଂ ପେଟ ମୋଡ଼ି ହେବ
ଶରୀର ଦୁର୍ବଳ ଲାଗିବ
ଅତ୍ୟଧିକ ଝାଡାବାନ୍ତି ହେବା ଦ୍ବାରା କିଡନୀ ଖରାପ ହେବାର ଆଶଙ୍କା ମଧ୍ୟ ରହିଛି । ହଇଜା ପାଇଁ ସବୁ ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଛୋଟ ପିଲା, ଗର୍ଭବତୀ ଓ ବୟସ୍କ ଲୋକ ଏହି ଷ୍ଟ୍ରେନ ଯୋଗୁଁ ବ୍ୟାପୁଥିବା ହଇଜାରେ ସଂକ୍ରମିତ ହେଲେ ଏହା ବେଶ ପ୍ରାଣଘାତକ ହୋଇପାରେ । ସେଥିପାଇଁ ପାନୀୟ ଜଳକୁ ଫୁଟାଇ ପିଇବା ସହ ବାହାରେ ନ ଖାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟବିଭାଗ ।