କନକ ବ୍ୟୁରୋ :  ପୁରୀ ଜିଲ୍ଲା କଣାସ ବ୍ଲକରେ ବ୍ୟାପିଚାଲିଛି ଝାଡାବାନ୍ତି। ଗୋପିନାଥପୁର, ଗଡିଶାଗଦା, ଜାମଳଗଦା, ପାଣ୍ଡିଆକେରା, ଚୁପରିଂ ଓ  କାଦୁଆଘାଟ ପଞ୍ଚାୟତର ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରନ୍ତ ହୋଇଛନ୍ତି। କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଇରିଆ ରୋଗୀଙ୍କ ଭିଡ ଲାଗିରହିଛି। ଗୋଟିଏ ବେଡ ଖାଲି ନହେଉଣୁ ଆଉ ଗୋଟେ ବେଡରେ ପହଞ୍ଚିଯାଉଛନ୍ତି ରୋଗୀ ।  ପିଲାଠାରୁ ବୟସ୍କ ଯାଏଁ ସମସ୍ତେ ପ୍ରଦୂଷିତ ଦୟା ନଦୀ ଉପରେ ନିର୍ଭର କରୁଛନ୍ତି। ସକାଳର ଶୌଚଠାରୁ ରୋଷେଇ ପାଇଁ ଏହି ନଦୀ ପାଣି ହିଁ ଲୋକଙ୍କ ଭରସା ପାଲଟିଛି। ପାଣି ଟ୍ୟାଙ୍କର ଆସୁଥିଲେ ବି ଏହା ପର୍ଯ୍ୟାପ୍ତ ହେଉନାହିଁ ।   
 
ଦିନକୁ ଦିନ ପରିସ୍ଥିତି ଖରାପ ହେଉଥିବାବେଳେ ଏବେ ପ୍ରଶାସନ ସକ୍ରିୟ ହୋଇଛି। ରାଜନେତାବି ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ନରାଜରୁ ପାଣି ଛାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି, ପ୍ରଦୂଷିତ ପାଣି ପ୍ରବାହିତ ହୋଇଯିବ, ସମସ୍ୟାରେ ସୁଧାର ଆସିବ ବୋଲି କହିଛନ୍ତି ପୁରୀ ସାଂସଦ ଓ ପୂର୍ବ ସରକାରଙ୍କ ମୁଣ୍ଡ ଉପରେ ଅଠା ବୋଳିଛନ୍ତି । 
ତେବେ ଝାଡାବାନ୍ତିରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା କହୁନାହିଁ ଜିଲ୍ଲା ପ୍ରଶାସନ। ଏଥିପାଇଁ ଆହୁରି ସମୟ ଲାଗିବ ବୋଲି କୁହାଯାଇଛି । 

Advertisment